ନବରଙ୍ଗପୁର: ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ରୋଜଗାର ଆଶାରେ ତେଲେଙ୍ଗାନାର ଏକ ଇଟାଭାଟିକୁ କାମ କରିବାକୁ ଆସିଥିଲା ମା' ଅନାଦି ପାଣିଗ୍ରାହୀ ସହ ସାନଝିଅ ସାଗରିକା ପାଣିଗ୍ରାହୀ । ହେଲେ ମା’ ଅସୁସ୍ଥ ହେବାରୁ ଇଟାଭାଟି ମାଲିକ ଅନାଦିକୁ ପଠାଇ ଦେଇଥିଲା । କିନ୍ତୁ ଧାର କରିଥିବା ଟଙ୍କା ପାଇଁ ବନ୍ଧକ ରହିଯାଇଥିଲା ଯୁକ୍ତ ଦୁଇରେ ପାଠ ପଢୁଥିବା ସାଗରିକା । ମାଆଙ୍କ ମୃତ୍ୟୁ ପରେ ଝିଅ ସାଗରିକା ତାଙ୍କ ଶେଷ ଦର୍ଶନ କରିବା ପାଇଁ ଆସିପାରିନଥିଲା କି ଶୁଦ୍ଧକ୍ରିୟାରେ ବି ସାମିଲ ହୋଇ ପାରିନଥିଲା । ଏପଟେ ମାଆକୁ ହରାଇବା ପରେ ବନ୍ଧକ ସାନ ଭଉଣୀର ଫେରିବା ବାଟକୁ ଚାହିଁ ରହିଥିଲା ବଡ ଭଉଣୀ ପ୍ରିୟଙ୍କା ।
ଘଟଣା ପ୍ରଘଟ ହେବା ପରେ ବହୁ ସ୍ବେଛାସେବୀ ସଙ୍ଗଠନ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବଳ ଚିଠିପତ୍ର ଆଦାନ ପ୍ରଦାନ ମଧ୍ୟରେ ସିମିତ ରହିଥିଲା। ଏପରି ପରିସ୍ଥିତିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜ ଗାଡିରେ ଚନ୍ଦାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ହୁମେଶ୍ବର ହଂସକୁ ହାଇଦ୍ରାବାଦର ସେହି ଇଟାଭାଟିକୁ ପଠାଇଥିଲେ। ସେ ନିଜେ ଇଟାଭାଟି ମାଲିକ ସହ ଯୋଗାଯୋଗ କରିବା ପରେ ସାଗରିକାକୁ ଉଦ୍ଧାର କରିବାକୁ ଗାଡି ପଠେଇଥିଲେ। ଶେଷରେ ଶନିବାର ସଂଧ୍ୟାରେ ସାଗରିକା ହାଇଦ୍ରାବାଦର ଇଟାଭାଟିରୁ ଉଦ୍ଧାର ହୋଇ ନିଜ ଗାଁକୁ ଫେରିଛନ୍ତି ।
ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗାଯୋଗ କରିବାରୁ ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ସାନ ଭଉଣୀ ମାଆର ଟଙ୍କା ଶୁଝିବା ପାଇଁ ବନ୍ଧକ ଥିବାବେଳେ ବଡ ଭଉଣୀ ମା'ର ମୃତ୍ୟୁପରେ ଏକା ରହିଯାଇଥିଲା। ଉଭୟ ଭଉଣୀ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ସରକାର ତାଙ୍କ କଥା ଶୁଣିଲେ ନାହିଁ। ଶେଷରେ ସେ ବାଧ୍ୟହୋଇ ସାଗରିକାକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରି ଶେଷରେ ସଫଳ ହୋଇଥିବା କହିଛନ୍ତି ।
ଅନ୍ୟପକ୍ଷେ ଇଟାଭାଟିର ମାଲିକ କେ. ସୁବାରାଓ କହିଛନ୍ତି ଯେ ସାଗରିକାର ମା' ଅନାଦି ଅସୁସ୍ଥ ଥିବାରୁ ସେ ଚିକିତ୍ସା ପାଇଁ ଘରକୁ ଯାଇଥିଲେ। ମା'ର ମୃତ୍ୟୁ ପରେ ଲକଡାଉନ ଯୋଗୁଁ ସାଗରିକାକୁ ପଠାଇବା ସମ୍ଭବ ହୋଇପାରିନଥିଲା।
ସାଗରିକା ଭଳି ଜଣେ କଲେଜ ପଢ଼ୁଆ ନାବାଳିକା ଯେତେବେଳେ ପରିବାର ଚଳାଇବା ପାଇଁ ଇଟାଭାଟିରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛି ତେବେ ନବରଙ୍ଗପୁର ଜିଲ୍ଲାରେ ଦାଦନ ଚାଲାଣ କେତେ ଯେ ଭୟାନକ ତାହା ଜିଲ୍ଲାର ବାସ୍ତବ ଚିତ୍ରକୁ ପଦାରେ ପକାଇଦେଇଛି । କେବଳ ନିରକ୍ଷର ନୁହେଁ କଲେଜ ପଢୁଆ ଝିଅ ବି ଦାରିଦ୍ର୍ୟତା କାରଣରୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଥିବା ସାଗରିକାଙ୍କ କାହାଣୀ ପ୍ରମାଣ କରିଦେଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀଙ୍କ ରିପୋର୍ଟ, ଇଟିଭି ଭାରତ