ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଜିଲ୍ଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଜିଲ୍ଲା ସର୍କିଟ୍ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଜିଲ୍ଲାରେ ମୋବାଇଲ୍ ନେଟ୍ୱାର୍କର ସ୍ଥିତି, ବିଭିନ୍ନ ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍ ସୁବିଧା ସହ ଜିଲ୍ଲାର ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି ।
ଏଥିସହ ଜିଲ୍ଲାରେ ଖେଳ ପଡ଼ିଆର ବିକାଶ, ତୃଣମୂଳସ୍ତରରୁ ଖେଳାଳି ଚୟନ, କ୍ରୀଡ଼ା ଭିତ୍ତିଭୂମିର ବିକାଶର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଖେଳାଳିମାନଙ୍କୁ ଆଧୁନିକ ତାଲିମ ଜରିଆରେ ଜିଲ୍ଲାର ଅଧିକ ଖେଳାଳି ସୃଷ୍ଟି କରିବା ନେଇ ସ୍ଥାନୀୟ କ୍ରୀଡ଼ାର ବିକାଶ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ମନ୍ତ୍ରୀ ଉମରକୋଟ ବ୍ଲକ୍ ଗସ୍ତ କରିଛନ୍ତି । ସ୍ଥାନୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ଥାନୀୟ କ୍ରୀଡ଼ାବିତ୍ଙ୍କୁ ଭେଟିବା ସହ ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମି ଏବଂ ସୂଚନା ପ୍ରଯୁକ୍ତିର ବିକାଶ ନେଇ ଆଲୋଚନା କରିଛନ୍ତି । ସେହିପରି ଆସନ୍ତା ୭ ତାରିଖରେ ମନ୍ତ୍ରୀ ଚନ୍ଦାହାଣ୍ଡି ବ୍ଲକ୍ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ