ନବରଙ୍ଗପୁର: ଜିଲ୍ଲା ଗ୍ରସ୍ତରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଗତ ମାର୍ଚ୍ଚ ମାସର ୧୮ ତାରିଖ ଦିନ ୫ଟି ସଚିବ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଆସିଥିବା ସମୟରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ଏହି ସମସ୍ତ ପ୍ରକଳ୍ପକୁ ଅନୁମୋଦନ କରିଥଲେ । ଅନୁମୋଦନ ପରେ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀର ଚାରି ଗୋଟି ସ୍ଥାନରେ ସମସ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।
ପ୍ରଥମେ ହେଲିକପ୍ଟର ଯୋଗେ ଡାବୁଗାଁ ବ୍ଲକର କୁସୁମଭଟାରେ ପହଞ୍ଚି ଆଠ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ପରେ ପାପଡ଼ାହାଣ୍ଡି ବ୍ଲକର ଚେରଚେଟା ଠାରେ ପହଞ୍ଚି ସେଠାରେ ମଧ୍ୟ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେଠାରୁ ପୁଣି କୋଷାଗୁମୁଡ଼ା ବ୍ଲକର ମିରମିଣ୍ଡା ଠାରେ ପହଞ୍ଚି ଛଅ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ସାଧାରଣ ସଭାରେ ଯୋଗ ଦେଇଥିଲେ ।
ସମୁଦାୟ ପାପଡ଼ାହାଣ୍ଡି ବ୍ଲକର ୧୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି ଭାବରେ ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀର ୩୦ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଏହିସବୁ ପ୍ରକଳ୍ପ ମଞ୍ଜୁର ହୋଇଛି । ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ରହିଥିବା ବେଳେ ସେହି ସମୟରେ ଏହି ନିର୍ବାଚନ ମଣ୍ଡଳୀର ଉନ୍ନତି ହୋଇ ପାରୁ ନଥିଲା ବିଧାୟକ ଭାବରେ ମନୋହର ରନ୍ଧାରୀ ନିର୍ବାଚିତ ହେବା ପରେ ଅଞ୍ଚଳର ବିକାଶ ଅଧିକ ହେଉଥିବା କହିଛନ୍ତି ପାପଡ଼ାହାଣ୍ଡି ଉପାଧ୍ୟକ୍ଷ ।
୩୦ ଗୋଟି ପ୍ରକଳ୍ପ ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର ହୋଇଛି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ସମେତ ବ୍ଲକ ଅଧକ୍ଷ, ଉପାଧ୍ୟକ୍ଷ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।
ନବରଙ୍ଗପୁର ଜିଲ୍ଲାର ଡ଼ାବୁଗାଁ ବ୍ଲକରେ ୮୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ହେଉଥିବା କହିଛନ୍ତି ମନ୍ତ୍ରୀ । ଏହା ସହିତ ସେ କହିଛନ୍ତି," ପୂର୍ବରୁ କଂଗ୍ରେସ ବିଧାୟକ ଥିଲେ ମଧ୍ୟ ବର୍ତ୍ତମାନ ତାହା ଥୁଣ୍ଟା ଗଛଟିଏ ହୋଇଛି ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲୋକ ଭରସା ରଖିଛନ୍ତି ଓ ଆଗକୁ ମଧ୍ୟ ରଖିବେ।" ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ କଲ୍ୟାଣ ଯୋଜନାକୁ ମଧ୍ୟ ପ୍ରଶଂସା କରିବା ସହ ଆଗକୁ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର