ନବରଙ୍ଗପୁର: ଜିଲ୍ଲାରେ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଶିବିର ଆୟୋଜନ ହୋଇଥିଲା । ଆଇନ ସଚେତନତାରୁ ସଶକ୍ତି କରଣ, ଦାରିଦ୍ର୍ୟ ଦୂରୀକରଣର ଫଳପ୍ରଦ କାର୍ଯ୍ୟକାରିତା ଯୋଜନାକୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା ।
ଅନୁଷ୍ଠିତ ଏହି ମେଗା ଆଇନ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ ଏମ୍.ଏସ. ରମଣ ଯୋଗ ଦେଇଥିଲେ । ଏନେଇ ସେ କହିଛନ୍ତି, "ମେଗା ଆଇନ ସେବା ଶିବିର ଏବଂ ଆଇନ ସଚେତନତାରୁ ସଶକ୍ତିକରଣ ଉପରେ ଉଲ୍ଲେଖ କରି ଜାତି, ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ବିନା ଭେଦଭାବରେ ସମସ୍ତଙ୍କ ପାଇଁ ଆଇନ ସମାନ ।" ବିନା ଖର୍ଚ୍ଚରେ ଲୋକେ କିପରି ଘର ଆଗରେ ଆଇନ ସେବା ପାଇପାରିବେ ସେଥି ନିମନ୍ତେ ଆଇନର ଥିବା ବିଭିନ୍ନ ଦିଗ ସମ୍ପର୍କରେ ସେ ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ରସରକେଲି ଗୀତର ତାଳେତାଳେ ନାଚିଲେ ଜିଲ୍ଲାପାଳ
ଏହି ଅବସରରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ହିତାଧିକାରୀମାନଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଏମ୍.ଏସ. ରମଣଙ୍କ ଦ୍ଵାରା ବିଭିନ୍ନ ଉପକରଣ, ସହାୟତା ରାଶି, ଜଙ୍ଗଲ ଜମି ପଟ୍ଟା, ଆଧାର କାର୍ଡ, ଇତ୍ୟାଦି ବଣ୍ଟନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦିବ୍ୟାଙ୍ଗ ଉପକରଣ, ବିବାହ ସହାୟତା ରାଶି, ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି, ଭାଷା ବୃତ୍ତି, ପ୍ରୋତ୍ସାହନ ରାଶି ଆଦି ଦିଆଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ, ଜିଲ୍ଲା ଜଜ୍, ଆରକ୍ଷୀ ଅଧିକ୍ଷକ ତଥା ଜିଲ୍ଲାସ୍ତରୀୟ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ନବରଙ୍ଗପୁର