ନବରଙ୍ଗପୁର: ଗୁରୁବାର ଜିଲ୍ଲାର ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତଙ୍କୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଦଳୀୟ କର୍ମୀଙ୍କୁ ଅଣ୍ଡାମାଡ଼ କରିଥିଲେ ଗ୍ରାମବାସୀ । ଏହି ଘଟଣାରେ ସାଂସଦ ପ୍ରତିନିଧିଙ୍କ ଅଭିଯୋଗ ପରେ ପୋଲିସ ବିଜେପି କର୍ମୀଙ୍କୁ ଗିରଫ କରିଥିଲା । ଏହାର ପ୍ରତିବାଦରେ ଝରିଗାଁ ଥାନାକୁ ଆଜି(ଶୁକ୍ରବାର) ଶତାଧିକ ଲୋକ ଘେରି ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି ହୋଇଛି ।
ସାଂସଦ ରମେଶ ନିଜ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିନୀ ତ୍ରିମିଳା ପୂଜାରୀ ଏବଂ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ପାଇଁ ଏହି ଅଞ୍ଚଳକୁ ଯାଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ଧୂମାଆମ ଗ୍ରାମବାସୀ ଅଣ୍ଡାମାଡ଼ କରିବା ସହିତ ଗ୍ରାମବାସୀ ସାଂସଦଙ୍କୁ ଘେରି ନିର୍ବାଚନ ପ୍ରଚାର ନ କରିବାକୁ ଦାବି କରି ସେମାନଙ୍କୁ ଗାଁରୁ ତଡ଼ି ଦେଇଥିଲେ । ଏହାପରେ ଗୁରୁବାର ସନ୍ଧ୍ୟାରେ ସାଂସଦଙ୍କ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ ଝରିଗାଁ ଥାନାରେ ଏକ ଏତଲା ଦେଇଥିଲେ ।
ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ଇଚ୍ଛାପୁର ପଞ୍ଚାୟତ ମୁଣ୍ଡିମାଲ ଗ୍ରାମର ଜଣେ ବିଜେପି କର୍ମୀ ଚିତ୍ରସେନ ତିୱାରିଙ୍କୁ ରାତି ଅଧିଆ ଥାନାକୁ ଉଠାଇ ନେଇଥିଲା । ଚିତ୍ରସେନଙ୍କ ଗିରଫ ପରେ ପଞ୍ଚାୟତର ୭ଟି ଗାଁର ଶତାଧିକ ଲୋକେ ରାଲି ମାଧ୍ୟମରେ ଆସି ଝରିଗାଁ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ବର୍ତ୍ତମାନ ବିଜେପିର ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ପହଁଚି ପୋଲିସ ସହ କଥାବାର୍ତ୍ତା କରିଛନ୍ତି ।
ଅନ୍ୟ ପକ୍ଷରେ ବିଜେଡି ପକ୍ଷରୁ ଶତାଧିକ ସମର୍ଥକ ଥାନା ସମ୍ମୁଖରେ ଆସି ଅଣ୍ଡାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ପ୍ରାୟ ଏକ ଘଣ୍ଟା ନାରାବାଜି କରିଥିଲେ । ବିଜେପି ଲୋକଙ୍କୁ ଉସୁକାଇ ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି । ଝରୀଗାଁ ଥାନା ସମ୍ମୁଖରେ ଉମରକୋଟ ଠାରୁ ଝରିଗାଁକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରାଯାଇଥିଲା । ଘଟଣା ସ୍ଥଳରେ ଥିବା ବଳଭଦ୍ର ମାଝୀ ଘଟଣାକୁ ନିନ୍ଦା କରିବା ସହ କୁନୁ ତିୱାରୀ ଗିରଫକୁ ବିରୋଧ କରିବା ସହ ଉପଯୁକ୍ତ ତଦନ୍ତର ଦାବି କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ