ନବରଙ୍ଗପୁର: ତଦନ୍ତ ନାଁରେ କୋଡିଙ୍ଗା ଥାନା ପୋଲିସ ଦୁଇ ଜଣଙ୍କୁ ଉଠେଇ ନେବା ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଗୋବର୍ଦ୍ଧନ ବିନ୍ଧାଣୀ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମୃତଦେହକୁ ଉତ୍ୟକ୍ତ ଗ୍ରାମବାସୀମାନେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଦାବିରେ କୋଡ଼ିଙ୍ଗା ଥାନା ଭଙ୍ଗାରୁଜା କରିଥିଲେ । ଏଥିପାଇଁ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ତେବେ ଦକ୍ଷିଣାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଆଜି ଗୋବର୍ଦ୍ଧନଙ୍କ ମୃତଦେହ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଛି ।
ବଡ ପଞ୍ଜାରିଆଗୁଡା ଗ୍ରାମର ଗୋବର୍ଦ୍ଧନ ବିନ୍ଧାଣୀ ଓ କମୁଲୁ ହରିଜନ କୁକୁଡ଼ା ଲଢେଇ ଖେଳ ଦେଖିବା ଯାଇଥିଲେ । ସେହି ସମୟରେ ପୋଲିସ ସେମାନଙ୍କୁ ଥାନାକୁ ଆଣି ମାଡ଼ ମାରିଥିଲେ । ଏହି ମାଡରେ କମୁଲୁ ଗୁରୁତର ଆହତ ହୋଇଥିବା ବେଳେ ଗୋବର୍ଦ୍ଧନର ମୃତ୍ୟୁ ଘଟିଥିବା କଥା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଗୋବର୍ଦ୍ଧନକୁ ଚିକିତ୍ସା ପାଇଁ ବିଶାଖାପାଟଣା ନେଇଥିବା ପରିବାରକୁ ଜଣାଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଥିଲା । ପୋଲିସ ଗୁରୁତର ଅବସ୍ଥାରେ ଗୋବର୍ଦ୍ଧନକୁ ନବରଙ୍ଗପୁର ମେଡିକାଲକୁ ନେଇଥିବା ସମୟରେ ହିଁ ମେଡିକାଲ ତାଙ୍କର ମୃତ୍ୟୁ ହୋଇଥିବା କଥା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ପୋଲିସ କେବଳ ଉପରଠାଉରିଆ ଭାବେ ବିଶାଖାପାଟଣା ନେଇଥିଲା ବୋଲି ପରିବାର ତରଫରୁ କୁହାଯାଇଛି । ପୋଲିସ ନିରୀହ ଗୋବର୍ଦ୍ଧନକୁ ହତ୍ୟା କରି ଘଟଣାକୁ ଚାପିବାକୁ ଉଦ୍ୟମ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ