ନବରଙ୍ଗପୁର: ହୋମ କ୍ବାରେଣ୍ଟାଇନରେ ୪୨୧ ଦାଦନଙ୍କୁ ରହିବାକୁ ପରାମର୍ଶ ଦେଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । କୋରୋନା ସଂକ୍ରମଣ ଭୟରେ ଜିଲ୍ଲା ବାହାରେ କାମ କରୁଥିବା ଶ୍ରମିକମାନେ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ନବରଙ୍ଗପୁରରେ ଜଣେ ବି ଦାଦନ ଏ ପର୍ଯ୍ୟନ୍ତ କୋରୋନା ଚିହ୍ନଟ ହୋଇ ନାହାଁନ୍ତି । ତଥାପି ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରାଯାଇ ସମସ୍ତ ୪୨୧ ଦାଦନ ଶ୍ରମିକଙ୍କୁ ହୋମ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ପଞ୍ଚାୟତ ସ୍ତରରେ ବିଭିନ୍ନ ଗାଁରେ ଆଶା, ଅଙ୍ଗନୱାଡି ଓ ଏଏନ୍ଏମ୍ଙ୍କ ଜରିଆରେ ଏହି ରାଜ୍ୟ ବାହାରୁ ଆସିଥିବା ଦାଦନ ଶ୍ରମିକଙ୍କୁ ପଞ୍ଜୀକରଣ କରାଯାଇଛି । କୋରୋନା ସଂକ୍ରମଣକୁ ନେଇ ଜିଲ୍ଲାରେ ବ୍ୟାପକ ସଚେତନତା ଅବଲମ୍ବନ କରାଯାଉଛି ।
କାଶ, ଥଣ୍ଡା ଓ ଜ୍ବରର ଲକ୍ଷଣ ଥିବା ବ୍ୟକ୍ତିମାନେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ବିଭିନ୍ନ ଗଁ।ରେ ଦାଦନ ଶ୍ରମିକଙ୍କ ପ୍ରବେଶକୁ ନେଇ ଯେଉଁ ଅସୁବିଧା ଲାଗି ରହିଥିଲା ତାକୁ ଦୂର କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ