ନବରଙ୍ଗପୁର: ଗଣମାଧ୍ୟମ ପ୍ରତିନିଧି ଯୋଗୁଁ ଟଳିଗଲା ଆଉ ଏକ ଲଜ୍ଜା । ବିଳମ୍ବିତ ରାତିରେ ଏକ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଆଉ ଜଣେ ଯୁବତୀ । ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜଣେ ଯୁବତୀ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅସହାୟ ଅବସ୍ଥାରେ ଯୁବତୀ ଜଣଙ୍କ ପଡିଥିଲେ କିଛି ଅସାମାଜିକ ବ୍ୟକ୍ତିଙ୍କ ହାବୁଡରେ । ତେବେ ସନ୍ଦେହ କରାଯାଉଛି, ଯୁବତୀ ଜଣଙ୍କ କିଛି ଜଣଙ୍କୁ ସାହାଯ୍ୟ ବି ମାଗିଥିଲେ।
ତେବେ ଯେଉଁମାନଙ୍କୁ ସାହାଯ୍ୟ ମାଗୁଥିଲା ସେମାନେ ଅଚିହ୍ନା ଓ ଅପରିଚିତ । ଏହି ବ୍ୟକ୍ତିମାନେ 60 କିଲୋମିଟର ଦୂରରେ ଥିବା ତା ଘରେ ପହଞ୍ଚାଇ ଦେବାର ପ୍ରତିଶ୍ରୁତି ବି ଦେଇ ସାରିଥିଲେ, କିନ୍ତୁ ଏହି ସମୟରେ ସେହି ପାଖରେ ଥିବା ଦୁଇ ଗଣମାଧ୍ୟମ ପ୍ରତିନିଧି ଯୁବତୀଙ୍କୁ ସାହାଯ୍ୟ କରିଥିଲେ ।
ଏହାପରେ ଅସହାୟ ଝିଅକୁ ସାହାଯ୍ୟ କରିବାକୁ ଯାଇ ପୋଲିସକୁ ପ୍ରଥମେ ଖବର ଦେଇଥିଲେ ଗଣମାଧ୍ୟମ ପ୍ରତିନିଧି । ଏହାପରେ 60 କିଲୋମିଟର ଦୂରରେ ଥିବା ତା ପରିବାର ଲୋକଙ୍କୁ ଜଣାଇଥିଲେ । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଏହି ଘଟଣାକୁ ନେଇ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ଏନେଇ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଛି। ପ୍ରେମିକଙ୍କୁ ଭେଟିବାକୁ ଷାଠିଏ କିଲୋମିଟର ଦୂରରୁ ଆସିଥିବା ଯୁବତୀ ଜଣଙ୍କ ପ୍ରେମିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପ୍ରେମିକ ଯୁବତୀକୁ ରାତି ଅଧରେ ଘରୁ ବାହାର କରିଦେଇଥିଲେ। ଏହାପରେ ଘରକୁ ଫେରିବାବେଳେ ସାହାଯ୍ୟ ପାଇବା ଆଶାରେ କିଛି ଅସାମାଜିକ ଯୁବକଙ୍କ ହାବୁଡ଼ରେ ପଡିଥିଲେ।
ଅନ୍ୟପଟେ ନିଜ ଜୀବନ ବଞ୍ଚିଯାଇଥିବାରୁ ଗଣମାଧ୍ୟମ ପ୍ରତିନିଧି ଓ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଯୁବତୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ