ନବରଙ୍ଗପୁର: ଜମି ବିବାଦକୁ ନେଇ ପାପଡାହାଣ୍ଡି ଥାନା ମହୁଲି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ତେବେ ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ୩ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସୟାଲୟରେ ଭର୍ତି କରାଯାଇଛି।
![Group clashes over land dispute, 3 Serious](https://etvbharatimages.akamaized.net/etvbharat/prod-images/od-ngp-gaon-sangharsa-ahata-7204279_17112020091135_1711f_1605584495_340.jpg)
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ତୁମ୍ବର୍ଲା ପଞ୍ଚାୟତ ମହୁଲି ଗାଁରେ ଠାକୁରାଣୀଙ୍କ ୪ ଏକର ଚାଷ ଜମିକୁ ନେଇ ଠାକୁରାଣୀ ମନ୍ଦିର ପୂଜକ ଓ ଗ୍ରାମବାସୀଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏବଂ ଅଦାଲତ ଉକ୍ତ ଜମିରେ ଧାରା ୧୪୪ ଲାଗୁ କରିଥିଲେ। ବର୍ତ୍ତମାନ ଏହି ଜମି ବିବାଦ ନବରଙ୍ଗପୁର ଅଦାଲତରେ ବିଚାରାଧୀନ ରହିଛି।
ତଥାପି ମହୁଲି ଗ୍ରାମବାସୀ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଚଳିତବର୍ଷ ଉକ୍ତ ବିବାଦିତ ଜମିରେ ଧାନ ଫସଲ କରିଥିଲେ। ଏବେ ଗ୍ରାମବାସୀ ଫସଲ କାଟିବାକୁ ଆରମ୍ଭ କରିବା ସମୟରେ ମନ୍ଦିରର ପୂଜକ ଥିବା ଯାନୀ ପରିବାର ଫସଲ କାଟିବା ପାଇଁ ଗ୍ରାମବାସୀଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଉଭୟଙ୍କ ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତେଲା ଦିଆଯାଇଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ