ନବରଙ୍ଗପୁର: ଜିଲ୍ଲାରେ କୋରୋନା ମହାମାରୀ ଆଉ ଛତିଶଗଡ ସୀମାନ୍ତ ବ୍ଲକଗୁଡିକରେ ସୀମିତ ହୋଇ ରହିନାହିଁ । ଜିଲ୍ଲାର ସହର ଏବଂ ଗ୍ରାମାଞ୍ଚଳକୁ ମଧ୍ୟ ଏହା ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ଜିଲ୍ଲାରେ ଗତ 4 ଦିନ ହେବ ଦିନେ କମିଲେ ଦିନେ ବଢୁଛି କୋରୋନା ଆକ୍ରାନ୍ତଙ୍କ ମାମଲା l ଶନିବାର ଜିଲ୍ଲାରେ ସାମାନ୍ୟ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇ 239 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l
ତେବେ ଜିଲ୍ଲାରେ ଆଜକୁ 2 ଲକ୍ଷ 56 ହଜାର 986 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ମୋଟ 14 ହଜାର 904 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ 11 ହଜାର 697 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 3 ହଜାର 98 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 2 ହଜାର 924 ଜଣ ଡାକ୍ତରଙ୍କ ପରାମର୍ଶରେ ଗୃହ ସଙ୍ଗରୋଧରେ ରହି ଚିକିତ୍ସା ଜାରି ରଖିଛନ୍ତି l
ଆଜି ଚିହ୍ନଟ 239 ନୂଆ ସଂକ୍ରମିତଙ୍କ ମଧ୍ୟରେ ଝରିଗାଁ ବ୍ଲକରୁ 39 ଜଣ, ରାଇଘର ବ୍ଲକରୁ 36 ଜଣ,ଉମରକୋଟ ବ୍ଲକରୁ 34 ଜଣ, ଉମରକୋଟ ପୌରାଞ୍ଚଳ ଏବଂ ଚନ୍ଦାହାଣ୍ଡି ବ୍ଲକରୁ 23 ଜଣ ଲେଖାଏ ଓ ନବରଙ୍ଗପୁର ପୌରାଞ୍ଚଳରୁ 22 ଜଣ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 17 ଜଣ, ନନ୍ଦାହାଣ୍ଡି ବ୍ଲକରୁ 16 ଜଣ, ପାପଡାହାଣ୍ଡି ବ୍ଲକରୁ 13 ଜଣ, ଡାବୁଗାଁ ବ୍ଲକରୁ 7 ଜଣ,କୋଷାଗୁମୁଡା ବ୍ଲକରୁ 5 ଜଣ ଏବଂ ନବରଙ୍ଗପୁର ବ୍ଲକରୁ 4 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ