ନବରଙ୍ଗପୁର: ଗାଁରେ ଥିବା ଘରଡିହ ଜାଗାକୁ କେନ୍ଦ୍ରକରି ସାମାଜିକ ବାସନ୍ଦ ହେଲେ ୪ ପରିବାର । ନିଆଁ ପାଣି ଠାରୁ ଆରମ୍ଭ କରି ଗାଁ ଦାଣ୍ଡରେ ଚାଲିବାକୁ ଦେଉ ନାହାନ୍ତି ଗାଁ ଲୋକେ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ସଦର ଗ୍ରାମପଞ୍ଚାୟତରେ ଦେଖିବାକୁ ମଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ । ଯାହା ଫଳରେ ଗାଁରେ ଅଭିଶପ୍ତ ଜୀବନ ବିତାଉଛନ୍ତି 4 ପରିବାର ।
ଚିର୍ମା ଗ୍ରାମରେ ସନୁ ହରିଜନ, ଚନ୍ଦରୁ ହରିଜନ, ବଇଦନାଥ ହରିଜନ ଓ ଟୁନୁ ହରିଜନ ୪ ଜଣ ନିଜ ପରିବାର ସହ ବସବାସ କରି ଆସୁଛନ୍ତି । ଚାରଟି ପରିବାର ଦଖଲରେ ଥିବା ସରକାରୀ ଆବାଦୀଯୁକ୍ତ ୧୫ ଡେସିମିଲ ଘରଡିହ ସ୍ଥାନରେ ସରକାରଙ୍କ ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହୋଇଛି । ଏହାକୁ ନେଇ ୪ ପରିବାର ବିରୋଧ କରିବାରୁ ଗ୍ରାମବାସୀ ସେମାନଙ୍କୁ ନିଆଁପାଣି ବନ୍ଦ କରାଇଛନ୍ତି ।
ବର୍ତ୍ତମାନ ୪ ପରିବାର ସାମାଜିକ ବାସନ୍ଦ ଦଣ୍ଡ ଭୋଗୁଛନ୍ତି । ସ୍ଥିତି ଏଭଳି ହୋଇଛି ଯେ ଗାଁ ବାଟ ଦେଇ ଏହି ପରିବାର ଯିବା ଆସିବା କରିବାକୁ ଦିଆଯାଉନାହିଁ । ଏହାକୁ ନେଇ କୋଡିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି 4 ପରିବାର ।
ଏହାପୂର୍ବରୁ ମଧ୍ୟ ଜୁନ ୨୨ ତାରିଖରେ ୪ ପରିବାର କୋଡିଙ୍ଗା ତହସିଲ ଓ କୋଡିଙ୍ଗା ଥାନାର ଦ୍ଵାରସ୍ଥ ହୋଇଥିଲେ । ହେଲେ କୌଣସି ସୁଫଳ ମିଳିପାରିନଥିବା ଏହି ପରିବାର ଅଭିଯୋଗ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ