ନବରଙ୍ଗପୁର: ବିଦ୍ୟୁତ ତାର ଛିଣ୍ଡି ଆଖୁବାଡ଼ରେ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଆଖୁ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ବିଦ୍ୟୁତ ତାର ଛିଣ୍ଡି ଆଖୁବାଡ଼ରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୫ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଗ୍ରାମର ମନଧର ନାୟକ, ସୂର୍ଯ୍ୟ ଭତରା , ଚନ୍ଦନ ମିରଗାଣ ଓ ବଳିରାମ ମାଳି ଏହି ୪ ଜଣ ମିଶି ଚଳିତ ବର୍ଷ ପ୍ରାୟ ୧୫ ଏକର ଆଖୁ ଚାଷ କରିଥିଲେ । ଏମାନେ ଗତ ପ୍ରାୟ ଏକ ମାସ ହେଲା ଆଖୁ ଅମଳ କରି ପାଖାପାଖି ୨୦୦ କ୍ବିଣ୍ଟାଲ ଗୁଡ଼ ତିଆରି କରି ବିକ୍ରି କରିବାକୁ ଅସ୍ଥାୟୀ ବାଡ଼ରେ ରଖିଥିଲେ । ଦୁର୍ଭାଗ୍ୟବଶତଃ ଅସ୍ଥାୟୀ ଆଖୁ ବାଡ଼ରେ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ବାଡ଼ରେ ୨୦୦ କ୍ବିଣ୍ଟାଲ ଗୁଡ଼,ଗୋଟିଏ ବାଇକ, ଦୁଇଟି ସାଇକେଲ, ଦୁଇଟି ମୋବାଇଲ, ୩ଟି ଇଲେକ୍ଟ୍ରି ଓଜନ ମେସିନ,୮୦ ଟି ପାଣି ପାଇପ, ୨ଟି ବଡ଼ ପାଣି ମୋଟର , ୬୦ ମିଟର ନୂଆ ବିଦ୍ୟୁତ ତାର, ପ୍ରାୟ ୨୦ ହଜାର ଟଙ୍କାର ରାସନ ସାମଗ୍ରୀ ଓ ୭୦ ହଜାର ଟଙ୍କା ନଗଦ ନିଆଁରେ ପୋଡ଼ି ପାଉଁଶ ହୋଇଗଲା । କୋଷାଗୁମୁଡା ଦମକଳ କେନ୍ଦ୍ରକୁ ଖବର ପାଇ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନକୁ ଯିବା ପରେ ଆଉ କିଛି ନଥିଲା ।
ସେପଟେ ଘଟଣାସ୍ଥଳରେ କୋଡ଼ିଙ୍ଗା ତହସିଲଦାରଙ୍କ ନିର୍ଦେଶ କ୍ରମେ କୋଷାଗୁମୁଡା ରାଜସ୍ବ ନିରୀକ୍ଷକ ଓ ଗ୍ରାମ୍ୟ କୃଷି ଅଧିକାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛନ୍ତି । ପ୍ରାୟ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଏହି ୪ଜଣ ଚାଷୀ ଲକ୍ଷାଧିକ ଟଙ୍କା ଋଣ କରି ଆଖୁ ଚାଷ କରିଥିଲେ । ଏବେ କିଭଳି ଆଣିଥିବା ଋଣ ସୁଝିବେ ଆଉ କିଭଳି ପରିବାର ଚଳାଇବେ ସେନେଇ ଚିନ୍ତାରେ ରହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ