ନବରଙ୍ଗପୁର: ସମୟ ବଡ ବଳବାନ । ଆଜି ଯିଏ ଅମିର କାଲିକି ଫକୀର ! ସମୟ...ମଣିଷକୁ କେତେବେଳେ କେଉଁଠି ପହଞ୍ଚାଏ ସେ କଥା କିଏ ବା କହିପାରିବ । ଏଇ ଯେମିତି ଘଟିଛି ତୁଳସୀ ଦେବୀଙ୍କ କ୍ଷେତ୍ରରେ । ପିଲାଟି ବେଳୁ ଭବିଷ୍ୟତ ପାଇଁ ସୁନେଲୀ ସ୍ବପ୍ନ ଦେଖିଥିଲେ । ଏଲଏଲବି ପାସ୍ ପରେ ଓଲିକାତି ପ୍ରାକ୍ଟିସ୍ ବି କରିଲେ । ହେଲେ ଘରର ଅଭାବ ଅନଟନ ଆଗରେ ଚୁରମାର ହୋଇଗଲା ସବୁ ସ୍ବପ୍ନ । ସ୍ବାମୀଙ୍କ ସ୍ବଳ୍ପ ରୋଜଗାରର ବଡ କଷ୍ଟରେ ପରିବାର ଚଳୁଥିଲା । ଏତିକି ବେଳେ ଦୁଃଖ, ଦାରିଦ୍ର୍ୟ, ନିରାଶା ନେଇ ମାଡି ଆସିଲା କୋରୋନା ମହାମାରୀ । ପରିବାରର ଆର୍ଥିକ ସ୍ଥିତି ପୁରାପୁରି ଦୋହଲି ଗଲା । ରୋଗିଣା ଶାଶୁ-ଶ୍ବଶୁରଙ୍କ ଔଷଧ ଖର୍ଚ୍ଚ ଓ ଦୁଇ ଛୁଆଙ୍କ ପାଠପଢା ପାଇଁ ଶେଷରେ ନିଜ ସ୍ବପ୍ନର ତଣ୍ଟି ଚିପିଦେଲେ ତୁଳସୀ ଦେବୀ । ଓକିଲାତି ଛାଡି ସିକ୍ୟୁରିଟି ଗାର୍ଡ ପାଲଟିଗଲେ ।
ନବରଙ୍ଗପୁର ସଦର ମହକୁମା ୧୫ ନଂ ୱାର୍ଡରେ ତୁଳସୀ ଦେବୀଙ୍କ ଘର । ସ୍ବାମୀ, ଶାଶୁ ଶ୍ବଶୁର ଓ ଦୁଇ ଛୁଆଙ୍କୁ ନେଇ ତାଙ୍କର ତେଲ ଲୁଣର ସଂସାର । ସ୍ବାମୀ ସୁଶାନ୍ତ ହିଆଲ ପେଷାରେ ଜଣେ ଡ୍ରାଇଭର । ୨୦୦୭ ମସିହାରେ ତୁଳସୀ ଦେବୀ ଜୟପୁର ଆଇନ ମହାବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇଥିଲେ l ପାରିବାରିକ ସମସ୍ୟା ଯୋଗୁଁ ବାର ଲାଇସେନ୍ସ ପାଇବାରେ ବିଳମ୍ବ ହୋଇଥିଲା । ପରେ ୨୦୧୭ରେ ବାର ଲାଇସେନ୍ସ ପାଇ ସେ ନବରଙ୍ଗପୁରର ବରିଷ୍ଠ ଓକିଲ ଏନ. ଅହମ୍ମଦଙ୍କ ପାଖରେ ଓକିଲାତି ପ୍ରାକ୍ଟିସ ଆରମ୍ଭ କରିଥିଲେ l ହେଲେ ସ୍ବାମୀ ଡ୍ରାଇଭିଂ କରି ଯାହା ରୋଜଗାର କରୁଥିଲେ ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡିଲା l ବିଶେଷକରି ମହାମାରୀ ଆସିବା ପରେ ପରିବାରର ଆର୍ଥିକ ସ୍ଥିତି ପୁରା ଦୋହଲିଗଲା ।
ପାରାଲିସିସରେ ପୀଡିତ ଶାଶୁ ଶ୍ବଶୁର ଓ ଛୁଆଙ୍କ ପାଠପଢା ପାଇଁ ନିଜ ପେଷା ଛାଡିବାକୁ ବାଧ୍ୟ ହେଲେ ତୁଳସୀ ଦେବୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିବାକୁ ନିଷ୍ପତ୍ତି ନେଲେ । ସେବେଠୁ ପୁଣିଥରେ ନିଜ ପେଷାକୁ ଫେରିପାରି ନାହାନ୍ତି ସେ । ଆଜକୁ ୩ ବର୍ଷ ହେଲାଣି ତୁଳସୀ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିଆସୁଛନ୍ତି ।
ତୁଳସୀ ଦେବୀଙ୍କ ପଡୋଶୀ କୁହନ୍ତି, ସେ ଅତି ଭଦ୍ର ନମ୍ର ସ୍ଵଭାବର ମହିଳା । ନିଜେ ସ୍ବାବଲମ୍ବୀ ହୋଇ ପରିବାର ଚଳାଇବାକୁ ନିଜର ଶିକ୍ଷାଗତ ଯୋଗ୍ୟତାକୁ ଭୁଲି ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି । ନିଜ ରୋଜଗାରରେ ଦୁଇ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । ଯାହା କି ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ।
ତୁଳସୀ ଯାହାଙ୍କ ପାଖରେ ଓକିଲାତି ପ୍ରାକ୍ଟିସ କରୁଥିଲେ, ବରିଷ୍ଠ ଓକିଲ ଏନ ଅହମ୍ମଦ ଆଉ ଏ ଦୁନିଆରେ ନାହାନ୍ତି, ହେଲେ ତାଙ୍କର ପୁଅ ସିରାଜୁଧିନ ଅହମ୍ମଦ କହିଛନ୍ତି ଯେ, ତୁଳସୀ ବର୍ତ୍ତମାନ ମଧ୍ୟ ତାଙ୍କ ଅଫିସର ଜଣେ ସଦସ୍ୟ । ଯେକୌଣସି ମାମଲା ଭଲ ଭାବେ ପରିଚାଳନା କରିବାର କ୍ଷମତା ତାଙ୍କର ରହିଛି । ସେ ପୁଣିଥରେ ନିଜ ପେଷାକୁ ଫେରିବାକୁ ଚାହିଁଲେ ଫେରିପାରିବେ ।
ଇଟିଭି ଭାରତ, ନବରଙ୍ଗପୁର