ନବରଙ୍ଗପୁର: ଜ୍ବାଇଁର ଟାଙ୍ଗିଆ ଚୋଟରେ ଶାଶୁ ମୃତ। ଘଟଣାଟି ନବରଙ୍ଗପୁର ଜିଲ୍ଲା କୋଡିଗାଁ ଥାନା ଅନ୍ତର୍ଗତ ବିଟେକଗୁଡାରେ ଘଟିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡାବୁଗାଁ ଥାନା ଅନ୍ତର୍ଗତ ସାନଉଲୁମା ଗାଁର କମଳ ଜାନୀ(୩୫) ଗତ ୭ ବର୍ଷ ପୂର୍ବେ ବିଟେକଗୁଡାର ହିରାଦେଇ ଜାନୀଙ୍କ ଝିଅ ଉର୍ମିଳା ଜାନୀଙ୍କୁ ବିବାହ କରିଥିଲେ। ଏହାପରେ କମଳ ତାଙ୍କ ଘରଜ୍ବାଇଁ ହୋଇ ରହି ଆସୁଥିଲେ।
ତେବେ ଗତ କିଛି ବର୍ଷ ହେବ ନିୟମିତ କମଳ ଓ ଉର୍ମିଳାଙ୍କ ମଧ୍ୟରେ ଝଗଡା ଲାଗୁଥିଲା। ଗତ ୨ ତାରିଖ ରାତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ପରେ ଶାଶୁ ଝଗଡା ନେଇ ହିରାଦେଇ ଜାନୀ(୫୮) ଜ୍ବାଇଁ କମଳକୁ ଗାଳିଗୁଲଜ କରିଥିଲେ। ଏଥିରେ ଜ୍ବାଇଁ କମଳ ଉତ୍ତକ୍ଷିପ୍ତ ହୋଇ ଭୋର ୩ଟା ବେଳେ ଶୋଇଥିବା ବେଳେ ଏକ ଟାଙ୍ଗିଆ ସାହାଯ୍ୟରେ ଶାଶୁ ହିରାଦେଇଙ୍କ ମୁଣ୍ଡକୁ ଚୋଟେ ପକାଇଥିଲେ।
ହିରାଦେଇଙ୍କ ମୁଣ୍ଡରେ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପଡୋଶୀଙ୍କ ସହଯୋଗରେ ୧୦୮ ଆମ୍ବୁଲାନସ ଦ୍ବାରା ପ୍ରଥମେ କୋଷାଗୁମୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋଷାଗୁମୁଡା ଡାକ୍ତରଖାନାରେ ହିରାଦେଇଙ୍କ ଅବସ୍ଥା ଗୁରୁତର ହେବା ଦେଖି ଡାକ୍ତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ହେଲେ ହିରାଦେଇଙ୍କର ଚିକିତ୍ସିତ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା। ଖବର ପାଇ ଅଭିଯୁକ୍ତ ଜ୍ବାଇଁ କମଳ ଫେରାର ହୋଇଯାଇଥିଲା।
ହେଲେ ହିରାଦେଇଙ୍କ ମୃତ୍ୟୁ ଖବର କୋଡିଗାଁ ପୋଲିସ ପାଖରେ ପହଞ୍ଚିବା ପରେ ଥାନା ଅଧିକାରୀ ସରିତା ମହାପାତ୍ରଙ୍କ ନିର୍ଦ୍ଦେଶରେ ଏବଂ ଏସଆଇ ଡି.କେ.ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ଜ୍ବାଇଁ କମଳକୁ ଗିରଫ କରିଛି। ଗିରଫ ପରେ ଥାନାରେ କେସ ନଂ ୩୯/୨୧ ରେ ମାମଲା ରୁଜୁ କରାଯାଇ ଆଜି ସନ୍ଧ୍ୟା ସମୟରେ ଜ୍ବାଇଁ କମଳ ଜାନୀକୁ କୋର୍ଟ ଚାଲାଣ କରାଯାଇଥିଲା ବୋଲି ଜଣାପଡ଼ିଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ