ନବରଙ୍ଗପୁର: ବର୍ଷାକୁ ନେଇ ଚିନ୍ତାରେ ଚାଷୀ କୂଳ । ବର୍ଷାର ଅଭାବରେ ଚାଷ ଜମିର ମାଟି ଫାଟି ଆଁ କରିଛି । ବର୍ଷା ଋତୁରେ ବର୍ଷା ନହେବାରୁ ମୁଣ୍ତରେ ହାତ ଦେଇଛନ୍ତି ଚାଷୀ । ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ବର୍ଷା ଉଭାନ ହୋଇଯାଇଥିବା ବେଳେ ଚାଷ କାର୍ଯ୍ୟ କିଭଳି ହେବ ସେନେଇ ଚିନ୍ତାରେ ଚାଷୀକୂଳ । ଶ୍ରାବଣ ମାସ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ ।
ଶ୍ରାବଣରେ ଅନୁଭୂତ ହେଉଛି ଗ୍ରୀଷ୍ମ ପ୍ରବାହ । ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଚାଷ ହିଁ ଏକମାତ୍ର ଜୀବିକା । କିନ୍ତୁ ନଦୀ ନାଳ ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ସେଚ ପ୍ରକଳ୍ପ ନିର୍ମାଣ କରିବାରେ ପ୍ରଶାସନର ଉଦାସୀନତା ଚାଷୀଙ୍କୁ ହୀନସ୍ତା କରୁଛି । ତଥାପି ପ୍ରକୃତିର ଆଶୀର୍ବାଦ ଯୋଗୁଁ ଧାନ ସହ ମକା ଏବଂ ଆଖୁ ଫସଲ ପ୍ରଚୁର ପରିମାଣରେ ହେଉଛି । ତେବେ ଚଳିତ ବର୍ଷ ପ୍ରକୃତି କୋପ କରିବାରୁ ସ୍ଥିତି ଅଧିକ ଜଟିଳ ହୋଇଛି । ଚଳିତ ବର୍ଷ ଜିଲ୍ଲାରେ ୧ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଥିଲା । ତେବେ ଜୁନ୍ ମାସରେ ହାରାହାରି ୧୨୪ମିମି ବର୍ଷା ହେବା ପରେ ଜୁଲାଇ ମାସରେ ଆଦୌ ବର୍ଷା ନାହିଁ କହିଲେ ଚଳିବ ।
ଜୁଲାଇ ୫ରୁ ୮ତାରିଖ ମଧ୍ୟରେ ସ୍ବଳ୍ପ ବୃଷ୍ଟିପାତ (ହାରହାରି ୪୪ମିମି) ହୋଇଛି । ଗତବର୍ଷ ଜୁନ୍ରେ ବର୍ଷା କମିଥିଲେ ସୁଦ୍ଧା ଜୁଲାଇ ମାସର ହାରାହାରି ୧୬୦ମିମି ବର୍ଷା ନିଅଣ୍ଟକୁ ଭରଣା କରିଥିଲା । ହେଲେ ଚଳିତ ବର୍ଷ ଜମି ପୂରା ଶୁଖିଲା ରହିଥିବାରୁ ୩ରୁ ୪ଦିନ ମଧ୍ୟରେ ପ୍ରବଳ ବର୍ଷା ନହେଲେ ତଳି ପୋଡ଼ିଯିବ ବୋଲି ଚାଷୀ କହିଛନ୍ତି । ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ଜିଲ୍ଲାର ୮୫ ପ୍ରତିଶତ ଜମି ପଡ଼ିଆ ପଡ଼ିଛି । ବଳକା ୧୫ ପ୍ରତିଶତ ଜମିରେ ଉଠା ଜଳସେଚନ ପ୍ରକଳ୍ପ କିମ୍ବା ଜଳାଶୟ ଯୋଗୁଁ ଚାଷ କାର୍ଯ୍ୟ ସାମାନ୍ୟ ଆଗେଇଛି ।
ଏହା ମଧ୍ୟ ପଢନ୍ତୁ- ଶ୍ରାବଣରେ ଶୁଖିଲା ଜମି; ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ
ବର୍ଷା ଅଭାବ କେବଳ ପରିବେଶକୁ ପ୍ରଭାବିତ କରିନାହିଁ, ଆଗକୁ ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିବ ବୋଲି କୃଷି ବିଶେଷଜ୍ଞ କହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଢେପ ଜମିର ପରିମାଣ ଅଧିକ । ମୋଟ ୧ଲକ୍ଷ ୬ ହଜାର ହେକ୍ଟର ଧାନ ଚାଷ ଜମିରୁ ୩୮୮୭୩ ହେକ୍ଟରକୁ ଢେପ ଜମି ଭାବେ ଚିହ୍ନଟ କରାଯାଇଛି । ଏହାପରେ ୩୮୩୪୨ ହେକ୍ଟର ମଧ୍ୟମ ଧରଣର ଏବଂ ୨୯୧୦୦ ହେକ୍ଟର ଖାଲୁଆ ଜମି ରହିଛି । ମୋଟ ଜମିର ପ୍ରାୟ ୭୦ ପ୍ରତିଶତ ଜମି ଢ଼ିପ ଓ ମଧ୍ୟମ ଧରଣର ଜମି ହୋଇଥିବାରୁ ବର୍ଷା ପାଣି ବ୍ୟତୀତ ଚାଷୀଙ୍କ ନିକଟରେ ଅନ୍ୟ ବିକଳ୍ପ ନାହିଁ ।
ଇଟିଭି ଭାରତ,ନବରଙ୍ଗପୁର