ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଜିଲ୍ଲାର ଜଣେ ଡାକ୍ତର । ଜିଲ୍ଲାର ତେନ୍ତୁଳିଖୁଣ୍ଟି ଡାକ୍ତର ସଚିକାନ୍ତ ଲେଙ୍କା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରିଣୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି CDMOଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ହୋଇଥିବା ଅଭିଯୋଗ ଅନୁସାରେ, ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସଚିକାନ୍ତ ଲେଙ୍କା ନିଜର କିଛି ଅଭିଯୋଗ ନେଇ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶୋଭାରଣୀ ମିଶ୍ରଙ୍କୁ ନବରଙ୍ଗପୁରସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ । ଗତ ୫ ବର୍ଷ ଧରି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାକିରୀ ପାଇଥିବା ସତ୍ତ୍ବେ କୌଣସି ସରକାରୀ କ୍ୟାର୍ଟର ନ ମିଳିବା, KBK ଇନସେଣ୍ଟିଭ ପ୍ରଦାନ କରାଯାଉ ନଥିବା ଭଳି ଏକାଧିକ ଅଭିଯୋଗ ଆଣିି ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଡାକ୍ତର ସଚିକାନ୍ତ ।
ଅଭିଯୋଗ ଶୁଣି ସମାଧାନ ପରିବର୍ତ୍ତେ ଓଲଟି ତାଙ୍କୁ CDMO ଦୁର୍ବ୍ୟବହାର କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଡାକ୍ତର । ଏନେଇ ସେ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି । ସିଡିଏମଓଙ୍କ ଠାରୁ ଜବାବ ନ ମିଳିବା ଯାଏଁ ସେ ଧାରଣା ଜାରି ରଖିବେ ବୋଲି ମଧ୍ୟ କହିଛନ୍ତି । ଅପରପକ୍ଷରେ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିବା ସହ ଡାକ୍ତର ସଚିକାନ୍ତ ତାଙ୍କୁ ଦୁର୍ବ୍ୟବହାର କରିଥିବା ପାଲଟା ଅଭିଯୋଗ କରିଛନ୍ତି ସିଡିଏମଓ । ଯାହାର ପ୍ରମାଣ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ଥିବା ମଧ୍ୟ ସିଡିଏମଓ କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ