ନବରଙ୍ଗପୁର: ମୃତ ଶିକ୍ଷକଙ୍କ ହେଲା ପଦୋନ୍ନତି(Late Teacher got Promotion) । ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଜବ ଘଟଣା । ଜଣେ ଶିକ୍ଷକଙ୍କ ଦୀର୍ଘଦିନ ହେବ ମୃତ୍ୟୁ ହୋଇ ସାରିଥିବାବେଳେ ପଦୋନ୍ନତି ଶିକ୍ଷକ ତାଲିକାରେ ତାଙ୍କ ନାମ ପ୍ରକାଶ ପାଇଛି(Nabarangpur Teacher Promotion List) । ଶିକ୍ଷାର ଉନ୍ନତି ପାଇଁ ବିଭାଗ କେତେ ତତ୍ପର ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି ।
ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ପ୍ରଶ୍ନ ଉଠି ଆସିଛି । ବର୍ତ୍ତମାନ ଆଉ ଘଟଣା ନବରଙ୍ଗପୁର ଶିକ୍ଷା ବିଭାଗ ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରିଛି । ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ପଦୋନ୍ନତି ତାଲିକା ପ୍ରକାଶ ପାଇଛି । ଏହି ଶିକ୍ଷକ ପଦୋନ୍ନତି ତାଲିକାରେ ଜଣେ ଦିବଙ୍ଗତ ଶିକ୍ଷକଙ୍କ ନାମ ରହିଥିବା ଜଣାପଡିଛି ।
ତେନ୍ତୁଳିଖୁଣ୍ଟି ବ୍ଲକର କଙ୍ଗ୍ରା ୟୁଜି ହାଇସ୍କୁଲର ଶିକ୍ଷକ ଚତୁର ହରିଜନଙ୍କ ପଦୋନ୍ନତି ହୋଇଛି । ତେବେ ଦୁଃଖର ବିଷୟ ଗତ ଅକ୍ଟୋବର ମାସରେ ଏହି ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ପ୍ରକାଶ ପାଇଥିବା ପଦୋନ୍ନତି ତାଲିକା ନଂ୩୭୮ରେ ଚତୁରଙ୍କ ନାମ ରହିଛି । ଉକ୍ତ ଶିକ୍ଷକଙ୍କ ଘର ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରୀ ପଞ୍ଚାୟତର ହିର୍ଲିଆଗୁଡା ଗ୍ରାମରେ । ଶିକ୍ଷା ବିଭାଗର ଏପରି ଅଜବ ନୀତି ନେଇ ଶିକ୍ଷକ ମହଲ ତାଜୁବ ହୋଇଛି । ତେବେ ଶିକ୍ଷକଙ୍କ ପଦୋନ୍ନତି ତାଲିକା ପ୍ରକାଶ ପାଇବା ପୂର୍ବରୁ କେଉଁଭଳି ଭାବେ ବ୍ଲକ ଶିକ୍ଷା ବିଭାଗ ଜାଣିପାରୁନି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ