ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଖରକି ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଅଧଘଣ୍ଟା ଧରି ଛାତ୍ରଛାତ୍ରୀ ମାନେ କେମିତି ପାଠ ପଢୁଛନ୍ତି, କ’ଣ ସବୁ ସାର ମାନେ ପାଠ ପଢାଉଛନ୍ତି, ସିଧାସଳଖ ଆଲୋଚନା କରୁଛନ୍ତି ଖୋଦ ବିଧାୟକ ରନ୍ଧାରୀ ।
ବିଶେଷ କରି ହଷ୍ଟେଲରେ ଅସୁବିଧା ହେଉଛି କି ନାହିଁ ଓ ଗଣିତ ପଣିକିଆ ବୁଝିବାରେ ସମସ୍ୟା ରହୁଛି କି ବୋଲି ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ ବିଧାୟକ । ବିଧାୟକଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରସଂଶା କରାଯାଇଛି । ପ୍ରତିଦିନ ବିଧାୟକ କିଛି ନା କିଛି ଭଲ କାମ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବିଧାୟକ ହେବତ ଏମିତି ।
ସୂଚନାଯୋଗ୍ୟ, ବିଧାୟକ ମନୋହର ରନ୍ଧାରୀ ବିଗତ ଦିନରେ କୋଦାଳ ଧରି ରାସ୍ତା ସମତୁଲ କରିବା, ମହିଳାଙ୍କ ସହ ଢେମସା ନୃତ୍ୟ କରିବା, ସ୍କୁଲକୁ ଯାଇ ମଧ୍ୟାହ୍ନ ଭୋଜନ ପରସିବା, ଅଫିସରଙ୍କୁ ନେଇ 5‘ଟି’ କାର୍ଯ୍ୟକାରିତା ଉପରେ ବିଶୋଦ୍ଗାର କରିବା ଓ ସାଧାରଣ ଜନତାଙ୍କ ମୃତଦେହକୁ କାନ୍ଧ ଦେବା ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି । ଦିନକୁ ଦିନ କିଛି ନା କିଛି ନୂଆ କାର୍ଯ୍ୟ କରୁଥିବା ବିଧାୟକ ଅନ୍ୟ ଲୋକପ୍ରତିନିଧିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ