ନବରଙ୍ଗପୁର: ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ ୨୨ ତାରିଖ ଦିନ ଅସୁସ୍ଥତା ଅନୁଭବ କରିବାରୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ପରୀକ୍ଷା କରାଇବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ । ଗତ ୨୪ ତାରିଖରେ ନବରଙ୍ଗପୁର କୋଭିଡ ହସ୍ପିଟାଲ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ହେଲେ ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଗତ ପଞ୍ଚାୟତ ନିର୍ବାଚନରେ ମୋହରା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ସାଜିଥିଲେ । ସେ ଜଣେ ସରଳ,ଭଦ୍ର ତଥା ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ ।
ସେ ପ୍ରଥମେ ଚନ୍ଦାହାଣ୍ଡି ଲ୍ୟାମ୍ସ କର୍ମଚାରୀ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଲ୍ୟାମ୍ସ ଏମଡି ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁ ଜନତା ଦଳରେ ଯୋଗ ଦେଇ ଲ୍ୟାମ୍ସ ସଭାପତି ଓ ବ୍ଲକ ଅଧ୍ୟକ୍ଷ ହୋଇ ପାରିଥିଲେ । ସେ ଜଣେ ଆଗଧାଡିର ଆଦିବାସୀ ନେତା ଭାବେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ବେଳେ ଜଣେ ସାମାଜିକ କର୍ମୀ ହିସାବରେ ଯଥେଷ୍ଟ ଖ୍ୟାତି ଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ