ନବରଙ୍ଗପୁର: ସନ୍ତାନଙ୍କ ପ୍ରତି ନିଷ୍ଠୁର ସାଜିଛି ବାପା । ନିଜର ବାପାଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ର ଶିକାର ହେଲେ ଦ୍ଵିତୀୟ ପତ୍ନୀର ନାବାଳିକା ଝିଅ ଓ ନାବାଳକ ପୁଅ l ସ୍ଥାନୀୟ ଲୋକେ ସେମାନଙ୍କୁ ନିଷ୍ଠୁର ବାପା କବଳରୁ ଉଦ୍ଧାର କରି ଥାନାରେ ଏତେଲା ଦେବା ପରେ ନିଷ୍ଠୁର ବାପାକୁ ଗିରଫ କରିଛି ପୋଲିସ l ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମୋକିଆ ଗ୍ରାମରେ l
ମୋକିଆ ଗ୍ରାମର ଭୁବନ ହରିଜନ ତିନିଟି ବିବାହ କରିଥିଲେ l ସ୍ବାମୀ ସହ ମନମାଳିନ୍ୟ ହେବାରୁ ନିଜର ପୁଅ ଝିଅକୁ ନେଇ ବାପ ଘରକୁ ଚାଲିଯାଇଥିଲେ ପ୍ରଥମ ସ୍ତ୍ରୀ l ପରବର୍ତ୍ତୀ ସମୟରେ ପାପଡାହାଣ୍ଡି ବ୍ଲକ ଭାଟିକୋଟ ଗ୍ରାମର ଜଣେ ଯୁବତୀକୁ ଦ୍ଵିତୀୟ ବିବାହ କରି ସଂସାର କରିଥିଲେ ଏହି ବ୍ୟକ୍ତି l ଦ୍ଵିତୀୟ ପତ୍ନୀଙ୍କ 2ଟି ପୁଅଝିଅ ରହିଛି l କିଛି ବର୍ଷ ଗଲା ପରେ ମୋକିଆ ଗ୍ରାମରେ ଅନ୍ୟ ଏକ ଯୁବତୀକୁ ପ୍ରେମ କରି ଘରକୁ ଆଣିଥିଲେ ଏହି ବ୍ୟକ୍ତି ଜଣଙ୍କ l ଏଣୁ, ଦ୍ଵିତୀୟ ପତ୍ନୀ ସ୍ବାମୀ ଭୁବନକୁ ଛାଡି ନିଜ ନାବାଳକ ପୁଅ ଓ ଝିଅକୁ ନେଇ ଭାଟିକୋଟକୁ ପଳେଇ ଆସିଥିଲେ l ସେପଟେ ତୃତୀୟ ପତ୍ନୀକୁ ନେଇ ଭୁବନ ମୋକିଆ ଗ୍ରାମରେ ରହିଥିଲା ବେଳେ ପ୍ରାୟ 15 ଦିନ ତଳେ ଦ୍ଵିତୀୟ ପତ୍ନୀର ନାବାଳିକା ଝିଅ ଓ ନାବାଳକ ପୁଅକୁ ଡ଼ାକି ଆଣି ନିଜ ପାଖରେ ରଖିବା ସହ ବିଭିନ୍ନ କାରଣରୁ ଝଗଡା କରି ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ l ଶୁକ୍ରବାର ସନ୍ଧ୍ୟା ସମୟରେ କୌଣସି କାରଣରୁ ବାପା ଭୁବନ ରାଗିଯାଇ ନାବାଳିକା ଝିଅର ହାତ ଓ ଗୋଡ଼କୁ ବାନ୍ଧିବା ସହ ଓଢଣୀକୁ ବେକରେ ବାନ୍ଧି ମାଡ ମାରୁଥିଲେ l ଭଉଣୀକୁ ରକ୍ଷା କରିବାକୁ ଯାଇ ନାବାଳକ ଭାଇ ବାପାକୁ ଅନୁରୋଧ କରିଥିଲେ ମଧ୍ୟ ବାପା ନଶୁଣି ଓଲଟା ପୁଅକୁ ମଧ୍ୟ ମାରିଥିଲେ l ଫଳରେ ଝିଅ ଓ ପୁଅର ଚିତ୍କାର ଶୁଣି ସ୍ଥାନୀୟ ଲୋକେ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟା ଆସି ସେମାନଙ୍କୁ ବାପା କବଳରୁ ଉଦ୍ଧାର କରି ନିଜ ହେପାଜତରେ ରଖିଥିଲେ l ନିଷ୍ଠୁର ବାପା ଏତେ ରାଗି ଯାଇଥିଲା ଯେ ଉଦ୍ଧାର କରିବାକୁ ଆସିଥିବା ଲୋକଙ୍କୁ ମଧ୍ୟ ଗାଳିଗୁଲଜ କରିବାକୁ ପଛାଇ ନଥିଲେ ।
ଘଟଣାକୁ ନେଇ ନେଇ ମୋକିଆ ପଞ୍ଚାୟତ ସରପଞ୍ଚ ପୁଷ୍ପାଞ୍ଜଳି ନାଚିକା ଓ ପାପଡାହାଣ୍ଡି ଜୋନ-କ'ର ଜିଲ୍ଲାପରିଷଦ ସଭ୍ୟା ଚନ୍ଦ୍ରମା ହରିଜନ ଉଦ୍ଧାର ପୁଅ ଝିଅକୁ ପାପଡାହାଣ୍ଡି ଥାନାକୁ ଆଣି ନିଷ୍ଠୁର ବାପାଙ୍କ ବିରୋଧରେ ଏତଲା ଦେଲେ l ପାପଡାହାଣ୍ଡି ପୋଲିସ ଏତଲା ଗ୍ରହଣ କରିବା ସହ ବିଭିନ୍ନ ଦଫା ଲଗାଇ ଅଭିଯୁକ୍ତ ବାପାକୁ ଗିରଫ କରିଛି l ବର୍ତ୍ତମାନ ନିର୍ଯ୍ୟାତନାର ଶିକାର ହୋଇଥିବା ଭାଇ ଭଉଣୀ ଥାନା ଅଧିକାରୀଙ୍କ ଅଧୀନରେ ରହିଥିବା ବେଳେ ଅଭିଯୁକ୍ତର ଦ୍ଵିତୀୟ ପତ୍ନୀ ତଥା ପୁଅ, ଝିଅର ମାଆକୁ ଖବର ଦିଆଯାଇଛି l ମାଆ ପାପଡାହାଣ୍ଡି ଥାନାକୁ ଆସିଲେ ପୋଲିସ ନିର୍ଯ୍ୟାତନାର ଶିକାର ହୋଇଥିବା ପୁଅଝିଅଙ୍କୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ