ନବରଙ୍ଗପୁର: ଡାବୁଗାଁ ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ମହାନ୍ତିଙ୍କୁ ଅଯୋଗ୍ୟ ଘୋଷଣା କରିଛି ବିଜେପି। ପ୍ରକାଶ ଥାଉକି ଯେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ନିବେଦିତା ମହାନ୍ତି ଓବିସି ବର୍ଗର ଓ ନିର୍ବାଚନ ନିୟମ ଅନୁସାରେ ଯୋଗ୍ୟ ବିବେଚିତ ବୋଲି ଦର୍ଶାଇ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ। କିନ୍ତୁ ତାଙ୍କ ବିରୋଧୀ ପ୍ରାର୍ଥୀ ପି:ସରିତା ଏହାକୁ ବିରୋଧ କରି ନିବେଦିତା ମହାନ୍ତି ଦେଇଥିବା ସମସ୍ତ ତଥ୍ୟ ପ୍ରମାଣ ଭୁଲ ଦର୍ଶାଇ କୋର୍ଟର ଦ୍ଵାରସ୍ଥ ହୋଇଥିଲେ।
ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ମହାନ୍ତି ଓବିସି ବର୍ଗର ନୁହଁନ୍ତି ଏବଂ ତାଙ୍କର ତିନୋଟି ସନ୍ତାନ ଥିବା ରାୟ ପ୍ରକାଶ କରିଛନ୍ତି କୋର୍ଟ । କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ନିବେଦିତା ମହାନ୍ତିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେଣୁ ଏନେଇ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ମହାନ୍ତିଙ୍କ ପଦ ମର୍ଯ୍ୟାଦାକୁ ଅଯୋଗ୍ୟ ଘୋଷଣା କରାଯାଇଛି ।
ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛି ଜିଲ୍ଲା ବିଜେପି। ନଚେତ ଆଗାମୀ ଦିନରେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ମହାନ୍ତିଙ୍କ ବିରୁଦ୍ଧରେ ବିଜେପି କୋର୍ଟର ଦ୍ଵାରସ୍ଥ ହେବ ବୋଲି ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ଚେତାବନୀ ଦେଇଛନ୍ତି।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ