ନବରଙ୍ଗପୁର:ସଦର ବ୍ଲକ ତାରାଗାଁ ପଞ୍ଚାୟତ ଅନ୍ତର୍ଗତ ବଦାମୁଣ୍ଡା ଗ୍ରାମ ଠାରେ ପାଳିତ ହୋଇଯାଇଛି ପରଜା ସମ୍ପ୍ରଦାୟର ବାଲିଯାତ୍ରା । ବଦାମୁଣ୍ଡା ଗ୍ରାମଠାରେ କେବଳ ପରଜା ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ଏଠାରେ ପାଳିତ ହୁଏ 9 ଦିନିଆ ବାଲିଯାତ୍ରା । 12 ବର୍ଷ ବ୍ୟବଧାନରେ ଲଗାତାର 3 ବର୍ଷ ଧରି ପାଳିତ ହୋଇଥାଏ ଏହି ପରମ୍ପରାର ବାଲିଯାତ୍ରା । ଏହି ଯାତ୍ରାଟି ବାଲି ସଂଗ୍ରହ ଠାରୁ ଆରମ୍ଭ ହୋଇଥାଏ । ଗ୍ରାମର ପ୍ରତ୍ୟେକ ଘରୁ ବିଭିନ୍ନ ପ୍ରକାର ଉତ୍ପାଦିତ ଶସ୍ୟକୁ ଦେବା ଦେବୀଙ୍କ ପାଖରେ ସମର୍ପଣ କରିଯାଏ ।
ସମର୍ପିତ ଶସ୍ୟକୁ ନୂଆ ଚାଙ୍ଗୁଡାରେ ସଂଗ୍ରହ କରାଯାଇଥିବା ବାଲି ସହିତ ମିଶ୍ରଣ କରି ବିହନ ପକାଇ 9 ଦିନ ଧରି ହୁଏ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଅନୁଷ୍ଠିତ ଏହି ପାରମ୍ପାରିକ ନିଆରା ବାଲିଯାତ୍ରାରେ ଗୁରୁମାଇନି 9 ଦିନ ଧରି ବିଧିବଦ୍ଧ ଭାବରେ ବିଭିନ୍ନ ଦେବାଦେବୀଙ୍କୁ ଧୂପଦ୍ୱୀପ, ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଯାଇଥାଏ । ଏହି ବାଲିଯାତ୍ରାରେ ଗୁରୁମାଇନି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ମାଟି ମା'କୁ ସନ୍ତୁଷ୍ଟ କରିବା ପାଇଁ ଗୁରୁମାଇନି 9 ଦିନ ଧରି ସ୍ୱତନ୍ତ୍ର ପୂଜାର୍ଚନା କରି ଭୋଗ ଦେବାଦେବୀଙ୍କୁ ଅର୍ପଣ କରିଥାନ୍ତି । ଚାଷ ଓ ଚାଷୀଙ୍କୁ ଶୁଭ ଦୃଷ୍ଟିରେ ଦେଖିବା ପାଇଁ ପାଳନ ହୁଏ ଏହି ପୁରୁଣା ପରମ୍ପରା । ଏହି 9 ଦିନିଆ ବାଲିଯାତ୍ରାରେ ସନ୍ଧ୍ୟା ସମୟରେ ଗ୍ରାମର ଯୁବକ ଯୁବତୀଙ୍କ ଦେହରେ ବିଭିନ୍ନ ଦେବାଦେବୀ ପ୍ରସନ୍ନ ହେବା ସହ ପାରମ୍ପାରିକ ବାଦ୍ୟର ତାଳେ ତାଳେ ବିଭିନ୍ନ ନୃତ୍ୟ କରିଥାନ୍ତି ଏବଂ ନିଜର ଶକ୍ତି ପ୍ରଦର୍ଶନ କରିଥାନ୍ତି ।
ବାଲିଯାତ୍ରା ଦିନ ବିହନ ଚାଙ୍ଗୁଡାକୁ ମହିଳା ମାନେ ମୁଣ୍ଡରେ ବହି ଦେବାଦେବୀଙ୍କ ପ୍ରତୀକ ଲାଠି, କୂର୍ଚି ଶିରା ଏବଂ ଗୁରୁମାଇନିଙ୍କୁ ନେଇ ଏକ ବିରାଟ ଶଭାଯାତ୍ରାରେ ବାହାରି ଗ୍ରାମର ଏକ ବିରାଟ ସାଗର ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରି ବିଶ୍ୱର୍ଜନ କରିଥାନ୍ତି । ଧରିତ୍ରୀ ମା'ର ପୂଜାରେ ଜୀବନ ସୁଖମୟ, ଭଲ ଫସଲ, ଚାଷୀକୁଳ ଲାଭକାରୀ, ଗ୍ରାମର ମଙ୍ଗଲ ହୁଏ ବୋଲି ବିଶ୍ୱାସ ରହିଥିବାରୁ କେଉଁ ପୂର୍ବପୁରୁଷଙ୍କ କାଳରୁ ଏହି ଅନନ୍ୟ ପରମ୍ପରା ପାଳିତ ହୋଇଆସୁଛି । ବଦାମୁଣ୍ଡା ଗ୍ରାମରେ ପାଳିତ ଏହି ବାଲିଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁତ ଲୋକଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ଉଠା ଦୋକାନୀଙ୍କ ପସରା ଜମିଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ