ନବରଙ୍ଗପୁର: ଥମୁନି ଜନନୀ ଯନ୍ତ୍ରଣା । ଗାଁ ରେ ଆମ୍ବୁଲାନ୍ସ ପହଞ୍ଚିବା ଏବେବି ସାତ ସପନ । ଖରାପ ରାସ୍ତା ଯୋଗୁଁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ ସେଥିପାଇଁ ଖଟିଆରେ ବୁହାହେଲେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ଷି ପଞ୍ଚାୟତରେ ।
ଭାଲୁଡ଼ଙ୍ଗରି ଗାଁର ରୀନା ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ ଘର ଲୋକେ । ତେବେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ବାଧ୍ୟ ହୋଇ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଏକ ଖଟିଆରେ ଡାକ୍ତରଖାନା ବୋହିନେବାକୁ ସ୍ଥିର କରିଥିଲେ । ତେବେ ଗ୍ରାମ ଠାରୁ ଡାକ୍ତରଖାନାର ଦୂରତା ପ୍ରାୟ 2 କିଲୋମିଟର । ଖଟିଆରେ ଯିବାବେଳେ ମଝିରାସ୍ତାରେ ଏକ ଜଙ୍ଗଲ ନିକଟରେ ମହିଳାଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।
ସରକାର ଜନନୀ ଯନ୍ତ୍ରଣାରୁ ମହିଳାଙ୍କୁ ମୁକ୍ତ କରିବା ପାଇଁ କାହିଁ କେତେ ଯୋଜନା ସବୁ କରୁଛନ୍ତି କିନ୍ତୁ ରାସ୍ତା ଅଭାବ ଯୋଗୁଁ ହିଁ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ପ୍ରସବ ପରେ ପରିବାର ଲୋକେ ମହିଳାଙ୍କୁ ନିଜ ଘରକୁ ଖଟିଆ ଯୋଗେ ପୁନର୍ବାର ଘରକୁ ନେଇଯାଇଛନ୍ତି । ବର୍ତ୍ତମାନ ଉଭୟ ମାଆ ଓ ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ