ନବରଙ୍ଗପୁର: ଟାହିଟାପରାରୁ ଆତ୍ମହତ୍ୟା ଘଟଣା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ । ଯୁବତୀ ଜଣକ ଗାଁ ଲୋକଙ୍କ ଟାହିଟାପରା ସହିନପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନାଅନୁସାରେ, ଗତ ଗୁରୁବାର ରାତିରେ କୋଷାଗୁମୁଡା ବ୍ଲକ ଟେମରା ପଞ୍ଚାୟତର ୨୨ ବର୍ଷୀୟା ଯୁବତୀ ଏବଂ ତାଙ୍କର ଜଣେ ସହଯୋଗୀ ପାଖ ଗ୍ରାମକୁ ଯାଉଥିଲେ । ସନ୍ତୋଷପୁର ନିକଟରେ ରାତ୍ରି ପେଟ୍ରୋଲିଂରେ ଥିବା କୋଷାଗୁମୁଡା ପୋଲିସ ଅଟକାଇ ପଚରା ଉଚରା କରି ରାତି ପ୍ରାୟ ୧୦ ଟା ରୁ ରାତି ୩ ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ । ରାତି ୩ଟାରେ ଯୁବତୀଙ୍କ ମାମୁଁ ଓ ସାନ ବାପାଙ୍କୁ ଥାନାକୁ ଡାକି ୨ ଯୁବତୀଙ୍କୁ ଜିମା ଦେଇ ଛାଡିଦେଇଥିଲେ ।
କିନ୍ତୁ ଉକ୍ତ ଘଟଣା ସମ୍ପର୍କରେ ଗାଁରେ କିଛି ଲୋକ ଜାଣିବା ପରେ ଯୁବତୀଙ୍କୁ କଟୁକଥା କହିବା ସହ ଟାହିଟାପରା କରିଥିଲେ । ଟାହିଟାପରା ସହି ନପାରି ଯୁବତୀ ଜଣକ ଆଜି ଘରେ କୀଟନାଶକ ପିଇ ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ