ନବରଙ୍ଗପୁର: କଥାରେ ଅଛି "ଯାହାର ଭକ୍ତି ଯେଡେ ତାହାର ପ୍ରଭୁ ସେଡେ" ଯିଏ ଭଗବାନଙ୍କୁ ଯେମିତି ପୂଜା କରେ ଭଗବାନ ତାଙ୍କୁ ସେମିତି ଦେଖାଦିଅନ୍ତି । କେତେବେଳେ କେଉଁ ରୂପରେ ଆଉ କେଉଁଠାରେ ଭଗବାନ ଦେଖା ଯାଆନ୍ତି ତାହା ଭଗବାନ ହିଁ ଜାଣନ୍ତି । ଏମିତି କିଛି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ।
ଉମରକୋଟ ଟିକିରା ସାହିରେ ରହନ୍ତି ବ୍ୟବସାୟୀ ସୁର ରାଉତ । ତାଙ୍କ ସ୍ତ୍ରୀ ଅନିତା ରାଉତ ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ହୋଇଥିବାବେଳେ ସବୁଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜା କରନ୍ତି । ଦୁଇଦିନ ପୂର୍ବରୁ ଅନିତା ଘରେ ରୁଟି ତିଆରି କରୁଥିଲେ । ଏବଂ ରୁଟି ତିଆରି ସରିବା ପରେ ସ୍ବାମୀଙ୍କୁ ଖାଇବାକୁ ଦେବା ସମୟରେ ଦେଖିବାକୁ ପାଇଥିଲେ ଯେ ସେ ତିଆରି କରିଥିବା ରୁଟିରେ ଜଗନ୍ନାଥଙ୍କ ଛବି ରହିଛି ।
ପରେ ଏହା ଦେଖି ଅନିତା ଖୁସିରେ ଭାବବିହ୍ୱଳ ହୋଇ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ସେ ହଠାତ୍ ଏମିତି ଦେଖିବା ପରେ ଟିକେ ଭୟଭୀତ ହୋଇଯାଇଥିଲେ । କାହାକୁ ଜଣାଇବାକୁ ଇଚ୍ଛାପ୍ରକାଶ କରି ନଥିଲେ । ମାତ୍ର ଏହି ଖବର ପ୍ରଘଟ ହେବା ପରେ ଏହି ଅଲୌକିକ ଘଟଣା ଦେଖିବାକୁ ସୁରଙ୍କ ଘରକୁ ଅନେକ ଲୋକ ଆସୁଛନ୍ତି। ତେବେ ସତରେ କ'ଣ ଭଗବାନ ରୁଟିରେ ଦେଖାଦେଇଛନ୍ତି ନା ଏହା ଏକ ଘଟଣା ମାତ୍ର !
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ