ନବରଙ୍ଗପୁର: ପରୀକ୍ଷା ଦେଇ ଫେରୁଥିବାବେଳେ ଅଟୋ ଦୁର୍ଘଟଣାରେ 9 ଛାତ୍ରଛାତ୍ରୀ ଆହତ । ନବରଙ୍ଗପୁର ଝରୀଗାଁ ଉପାନ୍ତ ଅଞ୍ଚଳ ତେଲନଦୀ ୟୁଜି ହାଇସ୍କୁଲ ଠାରୁ 20 କିମି ଦୂର ଝରିଗାଁ ନୋଡାଲ ହାଇସ୍କୁଲ ଠାରେ ଦଶମ ଶ୍ରେଣୀ ପରକ୍ଷା ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ 3ଟି ଅଟୋରେ 23 ଜଣ ପରୀକ୍ଷା ଦେଇ ଫେରୁଥିଲେ ।
ଶୁକ୍ରବାର ପରୀକ୍ଷା ଦେଇ ଫେରୁଥିବା ସମୟରେ କର୍ମରୀ ନିକଟ ଜୁନାପାଣି ଠାରେ ଗୋଟିଏ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବା କାରଣରୁ 9 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି l ଆହତଙ୍କୁ ତୁରନ୍ତ ଝରୀଗାଁ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକତ୍ସା କରାଯାଇଛି l ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ବାଭାବିକ ଥିବା ଜଣାପଡିଛି ।
ତେବେ ରାଜ୍ୟ ସରକାର ଅଟୋରେ ସ୍କୁଲ ପିଲାଙ୍କୁ ନେବା ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟାନ କରିଥିବା ବେଳେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନଜରରେ ରଖି ଯାତାୟାତ ଲାଗି ବ୍ୟବହୃତ ଯାନବାହାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗି ନିୟମ ଜାରି କରିଛନ୍ତି ।
କିନ୍ତୁ ଏହାକୁ ଅଣଦେଖା କରି ପିଲାଙ୍କ ଜୀବନ ସହ ଖେଳ ଖେଳୁଥିବା ଦେଖାଯାଉଛି l ଏଭଳି ପ୍ରତିଦିନ ପରୀକ୍ଷା କେନ୍ଦ୍ରମାନଙ୍କୁ ଅଟୋରେ ଛାତ୍ରଛାତ୍ରୀଙ୍କୁ ବସ୍ତା ଲଦିବା ଭଳି ବୋହି ଅଣା ଯାଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ସରକାର ପରିବହନ ନିୟମକୁ କଡାକଡି ଭାବେ ଲାଗୁ କରିଥିବା ସ୍ଥଳେ ଏହାକୁ କାହାରି ଖାତିର ନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି l
ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ