ନବରଙ୍ଗପୁର: ରାଜ୍ୟ କୋରୋନା ମାମଲାରେ ଲାଗୁନି ବ୍ରେକ । ଏହି କ୍ରମରେ ଶୁକ୍ରବାର ନବରଙ୍ଗପୁର ଜିଲ୍ଲାରେ ପୁଣି 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।
ଶୁକ୍ରବାର ଚିହ୍ନଟ 3 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନବରଙ୍ଗପୁର ସହର ମାଝୀଗୁଡା ଅଞ୍ଚଳର, ଆଉ ଜଣେ ତେନ୍ତୁଳିଖୁଣ୍ଟି ବ୍ଲକ ଓ କୋଡ଼ିଙ୍ଗା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପ୍ରଶାସନିକ ଅଧିକାରୀ ରହିଥିବା ସୂଚନା ମିଳିଛି ।
ସମସ୍ତ ଆକ୍ରାନ୍ତଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦କୁ ବୃଦ୍ଧି ପାଇଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 37 ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପରିସ୍ଥିତିକୁ ଆଖିଆଗରେ ରଖି ସୋମବାର ଠାରୁ ଯେକୌଣସି ମୁହୂର୍ତ୍ତରେ ସଟଡାଉନ୍ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏହାସହ ନବରଙ୍ଗପୁର ଓ ଉମରକୋଟ ମ୍ୟୁନସିପାଲଟିରେ ବାଇକ ଯାଞ୍ଚ କଡାକଡି କରାଯିବ । ଯେଉଁ ଚାଳକମାନେ ବିନା କାରଣରେ ଘରୁ ବାହାରରୁଛନ୍ତି ସେମାନଙ୍କ ଉପରେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡକ୍ଟର ଅଜିତ ମିଶ୍ର ।
ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ