ରାଇରଙ୍ଗପୁର: ମୟୂରଭଞ୍ଜ ମହୁଲଡିହା ଥାନା ଅନ୍ତର୍ଗତ ଜାମୁନଣ୍ଡା ଗାଁରେ ଅଭାବନୀୟ ଘଟଣା । ଘରେ କେହି ନଥିବା ସମୟରେ ଜଣେ ମହିଳା ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ନିଆଁରେ ପୋଡ଼ି ମହିଳାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ି ଯାଇଥିବାବେଳେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସିଦିଆ ପ୍ରଧାନଙ୍କ ସ୍ତ୍ରୀ ଚିନୁ ପ୍ରଧାନ (୫୦) କିଛିଦିନ ହେବ ତାଙ୍କର ମସ୍ତିଷ୍କ ଠିକ ରହୁନଥିବାବେଳେ ଘରେ ଥିବା କିରୋସିନିକୁ ଦେହରେ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ଦେହରେ ନିଆଁ ଜଳୁ ଥିବା ଅବସ୍ଥାରେ ଚିନୁ ଘର ନିକଟରେ ଥିବା ପୋଖରୀ ଆଡକୁ ଦୌଡ଼ି ଯାଉଥିବା ସମୟରେ ରାସ୍ତାରେ ପଡି ଯାଇଥିଲେ । ଗ୍ରାମବାସୀ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ