ରାଇରଙ୍ଗପୁର: ଏସିଆ ମହାଦେଶର ଦ୍ୱିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ । ମାତ୍ର ଗ୍ରୀଷ୍ମ ଦିନ ଆସିଲେ ଶିମିଳିପାଳ ଅଭୟାରଣ୍ୟରେ ଲାଗୁଛି ନିଆଁ । ଫଳରେ କେତେକ ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡିବା ସହ ଅନ୍ୟ କେହି ଜୀବନ ବିକଳରେ ଗାଁ ମୁହାଁ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଏକ ହରିଣକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।
ଏବେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ବେଳେ ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡ଼କୁ ଡେଉଁଛି ନିଆଁ। ତେବେ ଅଭୟାରଣ୍ୟ ମଧ୍ୟରେ ନିଆଁ ଲାଗିବା ଯୋଗୁଁ ବହୁ ଗଛ ଲତା ଜଳି ପୋଡ଼ି ପାଉଁଶ ହୋଇ ଯାଉଥିବାର ଖବର ସାମ୍ନାକୁ ଆସୁଛି । ତା ସହିତ ଏହି ନିଆଁ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟରେ ଥିବା ଔଷଧୀୟ ବୃକ୍ଷ ସବୁ ନଷ୍ଟ ହେବା ସହ ଅଧିକାଂଶ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି ।
ତେବେ ଶିମିଳିପାଳ ଅଭୟାରଣ୍ୟରୁ ଏକ ହରିଣ ଆସି ଉଦଳା ଅଞ୍ଚଳର ୱାର୍ଡ଼ ନଂ ୧୨ରେ ଥିବା ଜନବସତିକୁ ପଶି ଆସିଥିଲା । ସ୍ଥାନୀୟ ଲୋକେ ସକାଳୁ ମର୍ଣିଂ ୱାକ୍ କରୁଥିବା ସମୟରେ ହରିଣଟିକୁ କୁକୁର ଗୋଡାଉଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ହରିଣଟିକୁ ଉଦ୍ଧାର କରିବା ସହିତ ବନବିଭାଗକୁ ଖବର ଦେଇଥିଲେ । ଏନେଇ ଖବର ପାଇ ବନବିଭାଗ କର୍ମଚାରୀ ମାନେ ସେଠାକୁ ଆସି ହରିଣଟିକୁ ଉଦ୍ଧାର କରିବା ସହ ସାଥିରେ ନେଇ ଯାଇଥିଲେ । ପରେ ଉକ୍ତ ହରିଣଟିକୁ ଦେବକୁଣ୍ଡ ସ୍ଥିତ ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେପଟେ ଗତ ୭ ତାରିଖରେ ଉଦଳା ବନାଞ୍ଚଳ ଅଧୀନ ଖୀରପଦା ଗ୍ରାମକୁ ଗୋଟିଏ ହରିଣ ପଶି ଆସିଥିବା ବେଳେ ହରିଣକୁ 4 ଗୋଟି କୁକୁର ଝୁଣିବାକୁ ଚେଷ୍ଟା କରିଥିଲେ । ଏନେଇ ଘଟଣାସ୍ଥଳରେ ତାକୁ ଉଦ୍ଧାର କରା ଯାଇଥିବା ବେଳେ ସେହି ଦିନ ହିଁ ସେହି ହରିଣଟିର ମୃତ୍ୟୁ ହୋଇଥିଲା । ସେହିପରି ନଭେମ୍ବର ମାସରେ ଏକ ସମ୍ବର ଉଦଳା ଅଞ୍ଚଳର ଏକ ଜନବସତିକୁ ପଶି ଆସିଥିବା ବେଳେ ତାହାର ମଧ୍ୟ ମୃତ୍ୟୁ ହୋଇଥିଲା । ଶିମିଳିପାଳ ଅଭୟାରଣ୍ୟରେ ଲଗାତାର ନିଆଁ ଲାଗି ଚାଲିଥିବାରୁ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ ଏବଂ ଅକାରଣରେ ଯାଉଛି ନିରୀହ ଜୀବନ । ହେଲେ ବନ ବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସୁଛି ।
ଇଟିଭି ଭାରତ, ରାଇରଙ୍ଗପୁର