ରାଇରଙ୍ଗପୁର: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ରେଞ୍ଜ ଅଫିସ ଘେରାଉ କଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଫିସ ଘେରିଲେ ଡୁମୁରିଆ ଗ୍ରାମବାସୀ । କ୍ଷୟକ୍ଷତି ଆକଳନ କରିବା ସହ ହାତୀ ଘଉଡେଇବା ପାଇଁ ଦାବି କରିଛନ୍ତି ।
ଗତ ତିନି ଚାରି ଦିନ ହେବ ଦୁଧିଆଣି ରେଞ୍ଜ ଡୁମୁରିଆ ଗ୍ରାମରେ 22 ଟିକିଆ ହାତୀ ପଲ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିଛନ୍ତି । ଏହାକୁ ନେଇ ଶତାଧିକ ମହିଳା ଏବଂ ପୁରୁଷ ଆସି ଦୁଧିଆଣି ରେଞ୍ଜ ଅଫିସ ସାମ୍ନାରେ ହୋ ହାଲ୍ଲା କରିଛନ୍ତି । ଏହା ସହ କ୍ଷୟକ୍ଷତି ସଠିକ ଆକଳନ କରି କ୍ଷତି ପୂରଣ ଦାବି ସହ ହାତୀ ଘଉଡେଇବା ପାଇଁ ବନବିଭାଗର ସହଯୋଗ ଦାବି କରିଛନ୍ତି । ସେହିପରି ରେଞ୍ଜ ଅଧିକାରୀ ଏବଂ କରଞ୍ଜିଆ ଥାନା ଅଧିକାରିଣୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ପରିଦର୍ଶନ କରିଥିଲେ ।
ସେପଟେ ବନବିଭାଗ ଏହାର ବିଧିବଦ୍ଧ ତଦନ୍ତ କରିବା ସହିତ କ୍ଷୟକ୍ଷତିର ସଠିକ ଆକଳନ କରି ତୁରନ୍ତ କ୍ଷତି ପୂରଣ ରାଶି ଯୋଗାଇ ଦିଆ ଯିବା ପ୍ରତିଶ୍ରୁତି ମିଳିବା ପରେ ଲୋକେ ଅଫିସ ସମ୍ମୁଖରୁ ହଟିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଏଇ ହାତୀ ଉପଦ୍ରବରୁ ରକ୍ଷା ପାଉଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ