ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧିନ ସରଗଡା ଗ୍ରାମ ନିକଟସ୍ଥ ଟଙ୍ଗର ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ ଅଜଣା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ ହୋଇଥିଲା । ଟଙ୍ଗର ସଂରକ୍ଷିତ ଜଙ୍ଗଲରେ ଏହି ମହିଳାଙ୍କ ମୃତ ଦେହ ପଡ଼ିଥିବା ଦେଖି ସରଗଡା ସେକ୍ସନ ଫରେଷ୍ଟର କାଶିନାଥ ହାଁସଦା ଗୋରୁମହିଷାଣୀ ପୋଲିସକୁ ଖବର ଦେଇଥିଲେ ।
ତେବେ ଶନିବାର ଗୋରୁମହିଷାଣୀ ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି । ତେବେ ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତଦନ୍ତ ଜାରି ରହିଛି । ପାରିପାର୍ଶ୍ବିକ ସ୍ଥିତିରୁ ଜଙ୍ଗଲରେ ହାତୀ ଦଳି ଦେଇଥିବା ଅନୁମାନ କରାଯାଉଛି ।
ସେପଟେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମୃତ ଦେହକୁ ପଡିଥିବାର ଦେଖି କେହି ଦୁର୍ବୃତ୍ତ ତାଙ୍କୁ ପାଶବିକ ଅତ୍ୟାଚାର କରି ହତ୍ୟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ଜଙ୍ଗଲ ନିକଟସ୍ଥ ଗାଁର କେହି ମହିଳା କି ଯୁବତୀ ନିଖୋଜ ହୋଇଥିବା ଅଭିଯୋଗ ମଧ୍ୟ ହୋଇନଥିବା ଜଣାପଡିଛି।
ତେବେ ମୃତଦେହଟି ପ୍ରାୟ ଦୁଇ ତିନି ଦିନ ହେବ ଜଙ୍ଗଲରେ ପଡ଼ି ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଗୋରୁମହିଷାଣୀ ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ଘଟଣାର ଛାନଭିନ ଜାରି ରଖିଛନ୍ତି । ପରେ ଗୋରୁମହିଷାଣୀ ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫରେନ୍ସିକ ଟିମ୍ ର ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ