କେନ୍ଦୁଝର: ଜିଲ୍ଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣ ଗତକାଲି ଅପରାହ୍ନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଜଗନ୍ନାଥପୁର ଗ୍ରାମର ସୁନାରାମ ମହାନ୍ତଙ୍କ ପତ୍ନୀ କେସରୀ ମହାନ୍ତ (୫୦) ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଦ୍ବାରିକାପଶି ସାପ୍ତାହିକ ହାଟକୁ ଲଙ୍କା ବିକ୍ରି କରିବା ପାଇଁ ଯାଇଥିଲେ । ହାଟରୁ ଆସୁଥିବାବେଳେ ରାସ୍ତା କଡ଼ ବୁଦା ମୁଳରେ ବସିଥିବା କେହି ଜଣେ ଦୁର୍ବୃତ୍ତ ହଠାତ୍ ବୁଦାରୁ ବାହାରି କେସରୀ ମହାନ୍ତଙ୍କ ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ତାଙ୍କ ଶରୀରରୁ ଅଲଗା କରିଦେବା ପରେ ମୁଣ୍ଡକୁ ଧରି କୁଆଡେ ଫେରାର ହୋଇ ଯାଇଥିଲା ।
ଗୁରୁବାର ଉକ୍ତ ମହିଳାଙ୍କ କଟାମୁଣ୍ଡ ପାଟଣା ଥାନା କୁଆପଶି ଗାଁ ନିକଟ ହାଡ଼ଖାଇ ନାଳରୁ ଜବତ ହୋଇଛି । ଏହି ହତ୍ୟାକାଣ୍ଡ ଘଟାଇଥିବା ଉକ୍ତ ମହିଳାଙ୍କ ପୁତୁରା ବୋଲି ଜଣାପଡିଛି । ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ବେଳେ ପୋଲିସ ଅଭିଯୁକ୍ତ ପୁତୁରା ଶରତ ମହାନ୍ତକୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ