ରାଇରଙ୍ଗପୁର: ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ଆଦିବାସୀଙ୍କ ପୂଜାସ୍ଥଳ ଜାହିର୍ ପୀଠରେ ପୂଜାପାଠ କଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟି ଗ୍ରାମପଞ୍ଚାୟତର ଗିଦିଘାଟୀ ଏବଂ ତାରଣା ଗ୍ରାମର ଲୋକେ କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଆଦିବାସୀଙ୍କ ପୂଜାସ୍ଥଳୀ ଜାହିରା ପୀଠରେ ପୂଜାର୍ଚ୍ଚନା କରିଛନ୍ତି ।
ଗତ ବର୍ଷ କୋରୋନାରେ ଆଜି ପର୍ଯ୍ୟନ୍ତ ତାଙ୍କ ଗ୍ରାମରେ କେହି ଜଣେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏଣୁ ରବିବାର ଗିଦିଘାଟି ମାଝୀବାବା(ଗ୍ରାମ ମୂଖ୍ୟ) ଭଜରାୟ ହାଁସଦାଃଙ୍କ ନେତୃତ୍ବରେ ଗ୍ରାମ ନାୟକ(ପୂଜକ) ଜୀତ୍ ମୋହନ ମାର୍ଣ୍ଡି ମାନସିକ ସୁଝିବା ଉଦ୍ଦେଶ୍ୟରେ ପୂଜାପାଠ କରି ଆଦିବାସୀଙ୍କ ପରମ୍ପରା, ରୀତିନୀତି ଓ ବିଶ୍ବାସ ଅନୁସାରେ ଛେଳି,କୁକୁଡା ଆଦି ବଳି ଦିଆଯିବା ସହିତ ହାଣ୍ଡିଆ ପୂଜା କରାଯାଇ ପୂଜାପାଠ ସମ୍ପନ୍ନ କରାଯାଇଥିଲା ।
ସେହିପରି କୋରୋନାର ଦ୍ବିତୀୟ ଲହରୀ ଆହୁରି ଭୟଙ୍କର ଭାବେ ଦେଶବାସୀଙ୍କୁ ଆକ୍ରାନ୍ତ କରୁଥିବାବେଳେ ଏଥିରୁ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ରକ୍ଷା ପାଇଁ ଚଳିତ ବର୍ଷ ମଧ୍ୟ ମାରାଂବୁରୁ ଓ ଜାହେର ଆୟୋଙ୍କ ନିକଟରେ ଗିଦିଘାଟୀ ଏବଂ ତାରଣା ଗ୍ରାମବାସୀ ଜାହିରା ପୀଠରେ ପୂର୍ବ ବର୍ଷ ପରି ଏବର୍ଷ ମାନସିକ ରଖିଛନ୍ତି । ଯଦି କୋରୋନାର ଦ୍ବିତୀୟ ସହରରେ ଗ୍ରାମରେ କେହି ସଂକ୍ରମିତ ନହୁଅନ୍ତୁ, ତେବେ ଆସନ୍ତା ବର୍ଷ ଏହାର ମାନସିକ ସୁଝିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ପୂଜାରେ ସମସ୍ତ ଗ୍ରାମବାସୀ କୋଭିଡ୍ ନୀୟମ ମାନି ପୂଜାସ୍ଥଳରେ ଉପସ୍ଥିତ ଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ