ବାରିପଦା: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ସୂର୍ଯ୍ୟ ଦେବତାଙ୍କ ରଥାରୂଢ ପ୍ରତିମୂର୍ତ୍ତିକୁ ଶାମ୍ବ ଦଶମୀରେ ବାରିପଦା ସହରରେ ବେଶ୍ ଧୂମଧାମରେ ପୂଜା କରାଯାଏ । ଆଜି(ଶୁକ୍ରବାର) ଶାମ୍ବ ଦଶମୀରେ ବାରିପଦା ସହର ବାଘଡାରୋଡ଼ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ସୂର୍ଯ୍ୟ ଦେବତା । ତେବେ ଏହି ମଣ୍ଡପରେ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ ସୂର୍ଯ୍ୟ ଦେବତାଙ୍କ ମୃଣୟମୂର୍ତ୍ତି ପୂଜା କରାଯାଏ । କୋଭିଡ କଟକଣାରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟପୂଜା ପାଇଁ ଧାଡି ବାନ୍ଧି ଜଣେ ପରେ ଜଣେ ପୂଜା କରୁଛନ୍ତି ।
ସାତ ଘୋଡା ସାରଥୀ ସହ ପୂଜାମଣ୍ଡପରେ ଶୋଭା ପାଉଛନ୍ତି ସୂର୍ଯ୍ୟ ଦେବତା । ପୁରାଣବର୍ଣ୍ଣିତ ଗାଥା ଅନୁଯାୟୀ ଶାମ୍ବ ଦଶମୀରେ ଶ୍ରୀକୃଷ୍ଣ ନିଜ ପୁତ୍ର ଶାମ୍ବଙ୍କୁ କୁଷ୍ଠ ରୋଗରୁ ମୁକ୍ତି ପାଇଁ ସୂର୍ଯ୍ୟକୁ ଆରାଧନା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶାମ୍ବ ସୂର୍ଯ୍ୟ ଦେବତାଙ୍କୁ ପୂଜାକରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ସୂର୍ଯ୍ୟ ଦେବତାଙ୍କୁ ପୂଜାକଲେ ସମସ୍ତ ରୋଗରୁ ମୁକ୍ତି ମିଳିବା ସହ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ତେଣୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ନିଜ ପୁତ୍ର ଓ ପରିବାରର ଉନ୍ନତି କାମନାକରି ପୂଜା କରିବା ସହ ମାନସିକଧାରୀମାନେ କ୍ଷୀରି ଭୋଗ କରି ଭଗବାନଙ୍କ ନାମରେ ଅର୍ପଣ କରିଥାନ୍ତି । ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାରେ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କମିଟି ସଦସ୍ୟ କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ