ରାଇରଙ୍ଗପୁର : ଶିକାରୀ ଗୁଳିରେ ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜରଙ୍କ ହତ୍ୟା ଘଟଣା । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଗୁଳିକାଣ୍ଡ ଘଟିଥିବା ଘଟଣାସ୍ଥଳକୁ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଯାଇଥିଲେ । ତାଙ୍କ ସହିତ ପିସିସିଏଫ, ସିସିଏଫ, ଆରସିସିଏଫ ଓ ବନବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, "ମାସକ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାରୀ ଗୁଳିରେ ଦୁଇ ଜଣ ବନ ବିଭାଗ କର୍ମଚାରୀଙ୍କ ଜୀବନ ଯିବା ଏକ ଦଃଖଦାୟୀ ଘଟଣା । ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଘଟଣା ନେଇ ଠାକୁରମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇ ୧୦ ଜଣକୁ ଅଟକ ରଖା ଯାଇଛି। ପୋଲିସ ପକ୍ଷରୁ ପଚରାଉଚରା ମଧ୍ୟ ଜାରି ରଖିଛି । ବନବିଭାଗ କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ବନବିଭାଗ କର୍ମଚାରୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ସାମଗ୍ରୀ ଯୋଗାଇ ଦେବା ସହ ସ୍ବତନ୍ତ୍ର ଟ୍ରେନିଂ ଦେଇ ସଶକ୍ତ କରାଯିବ । ତାସହିତ ଶିମିଳିପାଳ ଅଭୟାରଣ୍ୟର ପାଦଦେଶଗୁଡ଼ିକରେ ଥିବା ବିଭିନ୍ନ ଗାଁଗୁଡିକରେ ବେଆଇନ ଦେଶୀ ବନ୍ଧୁକ ତିଆରି ହେଉଥିବା ସ୍ଥାନ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ପ୍ରକାଶ ଥାଉକି, ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ବିଟ୍ ଅଞ୍ଚଳରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିଲା । ବନବିଭାଗର ୬ ଜଣିଆ ଟିମ ଉକ୍ତ ବିଟ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ୬ ଜଣ ସଶସ୍ତ୍ର ଶିକାରୀଙ୍କ ସହିତ ସେମାନଙ୍କ ମୁହାଁମୁହିଁ ହୋଇଥିଲା । ଫଳରେ ଶିକାରୀ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଶିକାରୀଙ୍କ ଗୁଳି ମାଥାୟଙ୍କ ଛାତିରେ ବାଜିବାରୁ ସେ ଗୁରୁତର ହୋଇ ପଡ଼ି ଯାଇଥିଲେ । ତୁରନ୍ତ ଟିମ୍ର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମାସକ ମଧ୍ୟରେ ଦୁଇ ଜଣ ବନ କର୍ମଚାରୀ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିବା ଘଟଣା ଏବେ ଚିନ୍ତାର କାରଣ ସାଜିବା ସହ ଶିମିଳିପାଳର ସୁରକ୍ଷା ନେଇ ଚିନ୍ତା ବଢିଛି । ସେପଟେ ଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଇ କିରଣ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ଇଟିଭି ଭାରତ, ମୟୁରଭଞ୍ଜ