ରାଇରଙ୍ଗପୁର: ନିକଟରେ ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀସ୍ଥିତ ଟନେଲ ଧସି ଯାଇ ସେଠାରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ସେହି ୪୧ ଜଣ ଶ୍ରମିକ ମାନଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିବା ବେଳେ ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ତିନି ଜଣ ଶ୍ରମିକ ଥିଲେ । ସେମାନେ ହେଲେ ତିରିଂ ଥାନା କୁଲଡ଼ିହା ଗ୍ରାମର ମୁଚିରାମ ନାଏକଙ୍କ ପୁଅ ରାଜୁ ନାଏକ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଢାକୁଦର ଗ୍ରାମର ଧିରେନ ନାଏକ ଓ ଯୋଗୀବନ୍ଧ ଗ୍ରାମର ବିଶେଶ୍ୱର ନାଏକ । ତେବେ ଟନେଲରେ ଦୀର୍ଘ ୧୭ ଦିନ ଧରି ଫସି ରହିଥିବା ଶ୍ରମିକ ମାନେ କିପରି ଜୀବନ ବିତାଇଥିଲେ, କେମିତି ରହିଥିଲା ଜୀବନ ଓ ମୃତ୍ୟୁର ସେହି ସଂଘର୍ଷର କାହାଣୀ, ଦେଖନ୍ତୁ ଏହି ରିପୋର୍ଟରେ...
ନଭେମ୍ବର ୧୨ ତାରିଖର ସେହି ଭୟଙ୍କର ରାତିରେ ଉତ୍ତରକାଶୀର ସିଲକ୍ୟାରା ଟନେଲ ଭିତରେ ୪୧ ଜଣ ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଟନେଲ ଭିତରର ଗୋଟିଏ ଭାଗ ଭୁଷୁଡି ପଡ଼ିଥିଲା । ଫଳରେ ସମସ୍ତ ଶ୍ରମିକ ଟନେଲ ମଧ୍ୟରେ ଫସି ରହି ଯାଇଥିଲେ । ବାହାରିବା ପାଇଁ ଅନ୍ୟ କୌଣସି ବାଟ ନ ଥିଲା। ବହୁ ଚେଷ୍ଟା ସତ୍ତ୍ଵେ ସେମାନେ ସେଠାରୁ ବାହାରି ପାରି ନଥିଲେ। ବିଶ୍ବର ଶ୍ରେଷ୍ଠ ଉଦ୍ଧାରକାରୀ ବିଶେଷଜ୍ଞ ମାନଙ୍କ ଉପସ୍ଥିତିରେ ଅନେକ ମେସିନ ଏବଂ କୌଶଳର ପ୍ରୟୋଗ କରାଯାଇଥିଲେ ସୁଦ୍ଧା ସମସ୍ତ କାର୍ଯ୍ୟ ବିଫଳ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଶେଷ ଆଶା ଅଗର ମେସିନ ମଧ୍ୟ ଖରାପ ହୋଇ ଯିବାର ଖବର ପାଇବା ପରେ ଏଠାକାର ଶ୍ରମିକଙ୍କ ପରିବାର ଲୋକଙ୍କ ସାହାଭରସା କହିଲେ କେବଳ ଭଗବାନ ଙ୍କୁ ପ୍ରାର୍ଥନା କରିବା ଛଡ଼ା ଆଉ କିଛି ନଥିଲା। ଶେଷରେ ଶହେ କୋଟି ଭାରତୀୟ ଙ୍କ ପ୍ରାର୍ଥନା ଭଗବାନ ଙ୍କ ନିକଟରେ ପହଞ୍ଚି ଥିଲା। ଏବଂ ସମସ୍ତଙ୍କୁ ରାଟ୍ ମାଇନିଙ୍ଗ ଟେକନିକ ଜରିଆରେ ଭଲରେ ଭଲରେ ଉଦ୍ଧାର କରାଯାଇଥିଲା । ସେଠାରେ ସମସ୍ତଙ୍କ ଚିକିତ୍ସା କରାଯିବା ସହ ନିଜ ନିଜ ଘରକୁ ପଠାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଏହା ମଧ୍ୟ ପଢନ୍ତୁ ... ଘର ବାହୁଡ଼ିଲେ ଟନେଲରୁ ଉଦ୍ଧାର 4 ଓଡ଼ିଆ ଶ୍ରମିକ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
ତେବେ ଦୀର୍ଘ ୧୭ ଦିନର ଅପରେସନ ପରେ ଓଡ଼ିଶା ଶ୍ରମ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ତିନି ଜଣ ଶ୍ରମିକଙ୍କୁ ଗତକାଲି ବିମାନ ଯୋଗେ ଭୁବନେଶ୍ବର ଅଣାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଜଣ ଶ୍ରମିକଙ୍କ ସହ ଭେଟି ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବା ସହିତ ପରେ ଶ୍ରମ ବିଭାଗ ସହିତ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ... ସଫଳ ଅପରେସନ ପରେ ଶୂନଶାନ ସିଲକ୍ୟାରା, ଫେରିଲା ରେସ୍କ୍ୟୁ ଟିମ୍
ବାଙ୍ଗିରିପୋଷି ଠାରେ ଧିରେନ ଓ ବିଶେଶ୍ୱରଙ୍କୁ ସ୍ଵାଗତ କରା ଯାଇଥିବା ବେଳେ ରାଜୁକୁ ରାଇରଙ୍ଗପୁର ଠାରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ଓ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଫୁଲମାଳ ପିନ୍ଧାଇ ସ୍ବାଗତ କରିଥିଲେ । ପରେ ରାଜୁ କୁଲଡିହା ଗ୍ରାମ ସ୍ଥିତ ନିଜ ଘରକୁ ଫେରିବା ପରେ ସେଠାରେ ରାଜୁ ର ପରିବାର ଓ ଗାଁ ଲୋକେ ରାଜୁକୁ ପାଛୋଟି ନେଇଥିଲେ । ସେହିପରି ଧିରେନ ଓ ବିଶେଶ୍ୱରଙ୍କୁ ମଧ୍ୟ ତାଙ୍କ ପରିବାର ପାଛୋଟି ନେଇଥିଲା ବେଳେ ସମସ୍ତଙ୍କୁ ଗାଁ ମୁଣ୍ଡରୁ ପାରମ୍ପରିକ ରୀତିନୀତି ରେ ସ୍ବାଗତ କରି ହଳଦୀ ପାଣିରେ ଗୋଡ଼ ଧୋଇ ଦେବା ସହିତ ମିଠା ଖୁଆଇ ଖୁସି ମନାଇଥିଲେ ସମସ୍ତେ । ତେବେ ତିନି ଜଣକୁ ପାଇ ପରିବାର ଲୋକଙ୍କ ମଧ୍ୟରେ ଗୋଟିଏ ଅଦ୍ଭୁତ ଆନନ୍ଦ ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ରାଇରଙ୍ଗପୁର