ବାରିପଦା: ମାଲ ବୋଝେଇ ଟ୍ରକ ଧକ୍କାରେ ଚାଲିଯାଇଛି ଦୁଇ ଜଣକ ଜୀବନ । ବାରିପଦାର ଅସ୍ତିଆ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ତେବେ ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡ଼ି ଚାଳନା କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନାରୁ ପ୍ରକାଶ । ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଟ୍ରକଟିକୁ ଗୋଡ଼ାଇ ଗୋଡ଼ାଇ ବାରିପଦା ସହରର ଟ୍ରାଫିକ ଛକ ନିକଟରେ ଅଟକ ରଖିଥିଲେ ।
ଘଟଣା ମୁତାବକ ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ ଉଦଳାରୁ ବାରିପଦା ଅଭିମୁଖେ ବେପରୁଆ ଗାଡ଼ି ଚଳାଇ ଯାଉଥିଲା । ତେବେ ଡ୍ରାଇଭର ଜଣକର ଏହି ବେପରୁଆ ଗାଡ଼ି ଚାଳନା ଯୋଗୁଁ ବାସିପିଠା ନିକଟରେ ଦୁଇ ଯୁବକ ମରଣମୁଁହରୁ ଅଳ୍ପକେ ବର୍ତିଯାଇଥିବା ବେଳେ ଡୁକୁରା ଠାରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସିଯାଇଥିଲା । ଫଳରେ ବସଟି ସାମାନ୍ୟ ଭାଙ୍ଗିରୁଜି ଯାଇଛି । ସୌଭାଗ୍ୟବଶତଃ ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାଯାଇଛି ।
ଟ୍ରକଟି ସେଠାରୁ ଆସି କରଞ୍ଜିଆ, ପୋଡ଼ାଅସ୍ତିଆରେ ଦୁର୍ଘଟଣା ଘଟାଇ ବାରିପଦା ସହରର ବୁଢ଼ାବଳଙ୍ଗ ନଦୀ ପୋଲ ଉପରେ ଦୁଇଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେକେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ବାରିପଦା ପି.ଆର.ଏମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ମୃତକ ଦୁଇ ଜଣ ହେଲେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ତେଲିବିଲା ଗ୍ରାମର ସୁରଜ କାଳନ୍ଦୀ ଓ ଭଞ୍ଜ କାଳନ୍ଦୀ ।
ଦୁର୍ଘଟଣା ପରେ ନିଶାଶକ୍ତ ଟ୍ରକ ଚାଳକକୁ ସ୍ଥାନୀୟ ଲୋକେ ଅଟକ ରଖି ବାରିପଦା ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଟ୍ରକ ଚାଳକ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରିଥିବା ସ୍ବୀକାର କରିଛି । ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ