ରାଇରଙ୍ଗପୁର : କୋରୋନା ଟିକା ନେବା ପାଇଁ ଗଲାବେଳେ ଅଘଟଣ । ସଡକ ଦୁର୍ଘଟଣାରେ ଜଣେ ଅଙ୍ଗନବାଡ଼ି କର୍ମୀ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ କର୍ମୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଣ୍ଢଳ ଗ୍ରାମ ନିକଟରେ ଘଟିଛି ସଡକ ଦୁର୍ଘଟଣା ।
ସୂଚନା ଅନୁଯାୟୀ ପୁରୁଣାଘାଟି ଗାଁର ଅଙ୍ଗନବାଡ଼ି ସହାୟିକା ଗୁରୁବାରୀ ମାଝୀ ଓ ତାଙ୍କ ସ୍ବାମୀ ଏବଂ ଅନ୍ୟ ଜଣେ ଅଙ୍ଗନବାଡ଼ି ସହାୟିକା କୁଚେଇବୁଢୀ ଗାଁର ସାବିତ୍ରୀ ଲୋହାର ଏକ ଅଟୋ ଯୋଗେ କୋରୋନା ଟୀକା ନେବା ପାଇଁ ଗୋରୁମହିଷାଣୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ । ତେବେ କୌଣସି କାରଣବଶତଃ ଅଟୋଟି ଭାରସାମ୍ୟ ହରାଇ ସୁଣ୍ଢଳ ଗାଁ ନିକଟରେ ରାସ୍ତା କଡରେ ଓଲଟି ପଡିଥିଲା। ଫଳରେ ଗୁରୁତର ଅବସ୍ଥାରେ ଦୁଇ ଜଣ ଅଙ୍ଗନବାଡ଼ି ସହାୟିକାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବରଣ କରିଥିବା ଅଙ୍ଗନବାଡ଼ି ସହାୟିକା ଜଣକ କୁଚେଇବୁଢୀ ଗ୍ରାମର ସାବିତ୍ରୀ ଲୋହାର ବୋଲି ଜଣାପଡିଛି । ଅନ୍ୟ ଅଙ୍ଗନବାଡ଼ି ସହାୟିକା ଗୁରୁବାରୀ ମାଝୀଙ୍କ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମକୁ ସ୍ଥାନାନ୍ତର କରାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା , ଇଟିଭି ଭାରତ