ରାଇରଙ୍ଗପୁର: ଟ୍ରକ ଧକ୍କାରେ ସ୍ବାମୀ ସାମ୍ନାରେ ଆଖି ବୁଜିଲା ସ୍ତ୍ରୀ । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ମୟୂରଭଞ୍ଜ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ସ୍ବାମୀ ସ୍ତ୍ରୀ ବାଇକ ଯୋଗେ ଶ୍ବଶୂର ଘର ଝାଡଖଣ୍ଡ ହଳଦୀପୋଖରୀରୁ ଘରକୁ ଫେରୁଥିଲେ । ଏହି ସମୟରେ କାଦୁଆଣି ଛକରେ ଅଜଣା ଟ୍ରକଟି ସେମାନଙ୍କୁ ଧକ୍କା ଦେଇ ଦୃତ ଗତିରେ ଖସି ପଳାଇ ଯାଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ସାମାନ୍ୟ ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତକ ଜଣକ ବିଶୋଇ ଥାନା କାଦପାଣି ଗ୍ରାମର ସ୍ବପ୍ନା ବୈଠା ବୋଲି ଜଣାପଡିଛି। ସେପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ଘଟଣାସ୍ଥଳରେ ବହଳଦା ଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି । ତେବେ ଗୋଟିଏ ମାସ ଭିତରେ ଲୁହାପଥର ଟ୍ରାନ୍ସପୋର୍ଟ ଗାଡ଼ି ଧକ୍କାରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ