ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରୁ ଶୁକ୍ରବାର ପୁଣି 9 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 7 ଜଣ କ୍ବାରେନଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 2 ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ବିଶୋଇ ବ୍ଲକର ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
ତେବେ ଉକ୍ତ କୋରୋନା ଆକ୍ରାନ୍ତ ଜଣକ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବିଶୋଇ ବ୍ଲକ୍ ଅଶନା ଗ୍ରାମପଞ୍ଚାୟତରୁ ଉକ୍ତ କୋରନା ଆକ୍ରାନ୍ତ ଚିହ୍ନଟ ହେବାପରେ ଅଶନା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ସାବିତ୍ରୀ ନାଏକ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଆଜି ଶୁକ୍ରବାର ଦିନ ୨.୦୦ ସମୟରୁ ରବିବାର ସନ୍ଧ୍ୟା ୭.୦୦ ସମୟ ପର୍ଯ୍ୟନ୍ତ ୫୩ ଘଣ୍ଟା ଅଶନା ଗ୍ରାମପଞ୍ଚାୟତର ଚାରୋଟି ୱାର୍ଡକୁ ସଟଡାଉନ ଘୋଷଣା କରିଛନ୍ତି। ଏଥ ସହିତ ବିଶୋଇ ଗ୍ରାମପଞ୍ଚାୟତର ସରପଞ୍ଚ ଘାସିନି ନାଏକ ମଧ୍ୟ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଆସନ୍ତାକାଲି ବିଶୋଇ ସ୍ଥିତ ସାପ୍ତାହିକ ହାଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି।
ତେବେ ଉକ୍ତ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ସୂଚନା ମିଳିଛି। ତେବେ ଏ ନେଇ ବାମନଘାଟି ଉପଖଣ୍ଡରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ସେହିପରି ମୋଟ ଆକ୍ରାନ୍ତ 181 ଜଣଙ୍କ ମଧ୍ୟରୁ 126 ଜଣ ସୁସ୍ଥ ଥିବା ବେଳେ 55ଟି ମାମଲା ଏବେ ବି ସକ୍ରିୟ ରହିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ