ବାରିପଦା: ବୁଢ଼ାମରା ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ରେଳ ରୋକ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢ଼ାମରା ରେଳ ଷ୍ଟେସନରେ ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ ରହଣି ଦାବିରେ ରେଳ ବିକାଶ ମଞ୍ଚ ତରଫରୁ ଆଜି ରେଳରୋକ କରାଯାଇଛି । ଯାହାଫଳରେ ଷ୍ଟେସନ ଠାରେ ସକାଳୁ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ଅଟକି ରହିଛି । ତେବେ ଅଞ୍ଚଳବାସୀ ଟ୍ରେନ ରହଣି ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ ବି ପ୍ରଶାସନ ଏ ଦିଗରେ କର୍ଣ୍ଣପାତ କରୁନାହିଁ ।
ସୂଚନା ଯୋଗ୍ୟ, ବୁଢ଼ାମରା ଷ୍ଟେସନଟି ରାଜାରାଜୁଡା ଅମଳରୁ ରହିଆସିଛି । ଏହି ଷ୍ଟେସନ ଉପରେ ଝାଡ଼ଖଣ୍ଡ, ବେଙ୍ଗଲ ଏବଂ ଓଡ଼ିଶାର ବହୁ ଯାତ୍ରୀ ନିର୍ଭର କରିଥାନ୍ତି । ହେଲେ ବୁଢ଼ାମରା ଷ୍ଟେସନରେ ଏହି ଟ୍ରେନର ରହଣି ବ୍ୟବସ୍ଥା ନାହିଁ । ଯାହାଫଳରେ ବୁଢ଼ାମରା ଅଞ୍ଚଳର ଲୋକେ ଯାତାୟତ ସମୟରେ ହଇରାଣ ହେଉଛନ୍ତି । ତେଣୁ ବୁଢ଼ାମରା ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣିର ବ୍ୟବସ୍ଥା କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ