ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧୀନ ୨୦ ନମ୍ବର ଓ୍ବାର୍ଡ ଶୁନଗଡିଆରେ ନିର୍ବାଚନକୁ ନେଇ ହିଂସାକାଣ୍ଡ ଘଟିଛି । ମା ମଙ୍ଗଳା ପୂଜା ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଛୁରାମାଡରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଗୁରୁତରମାନେ ହେଲେ ସେହି ଅଞ୍ଚଳର ମିଥୁନ ମୁଖୀ(୩୫),ବାଙ୍ଗରୁମୁଖୀ ଓ ଚାନ୍ଦୁଆ ଥାନା ଅଞ୍ଚଳର ସମୀର କୁମାର ଦାସ ମହାପାତ୍ର(୩୭) । ଜଣକର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।
ସୂଚନା ଅନୁସାରେ, ମା’ ମଙ୍ଗଳା ପୂଜା ଶୋଭାଯାତ୍ରା ସମୟରେ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ଆରମ୍ଭ ହୋଇଥିବା ସମୟରେ ଛୁରାମାଡ ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଏକ ଅଟୋ ଦ୍ବାରା ଡାକ୍ତରଖାନା ନେଉଥିବା ବେଳେ ଅଟୋ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଏ ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଉଭୟ ପକ୍ଷରୁ ସମର୍ଥକ ମାନଙ୍କୁ ଟାଉନ ଥାନା ଅଟକ ରଖାଯାଇଥିବା ଜଣାପଡିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ