ରାଇରଙ୍ଗପୁର: ରାଜ୍ୟରେ ମାତିଛନ୍ତି ଗଞ୍ଜେଇ ବ୍ୟବସାୟୀ । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ ପରେ ବି ଭୟ କରୁ ନାହାନ୍ତି । ସରକାରୀ ବସ୍ର ସାହାରା ନେଇ ଆରମ୍ଭ କରିଛନ୍ତି ଗଞ୍ଜେଇ ଚୋରା ଚାଲଣ । ତେବେ ସରକାରୀ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରିଛି । ୨୩ କେ.ଜି ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଯଶିପୁର ବସ୍ଷ୍ଟାଣ୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ତେବେ ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ସାଢେ଼ 12ଟା ସମୟରେ ଅନୁଗୋଳରୁ ବାରିପଦା ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ରୁ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି । ତେବେ ଯଶିପୁର ରୁ ରାଇରଙ୍ଗପୁର ହୋଇ ବାରିପଦା ଅଭିମୁଖେ ଯାତ୍ରା କରୁଥିଲା ଉକ୍ତ ସରକାରୀ ବସ । କୌଣସି ସୁତ୍ରରୁ ଖବର ପାଇ ଯଶିପୁର ଥାନା ପୋଲିସ ଯଶିପୁର ବସ୍ ଷ୍ଟାଣ୍ଡରେ ଜଗି ରହିଥିଲେ । ଉକ୍ତ ସରକାରୀ ବସ୍ଟି ଯଶିପୁର ବସ ଷ୍ଟାଣ୍ଡରେ ଲାଗିବା କ୍ଷଣି ଅତର୍କିତ ଭାବେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଚଢ଼ାଉ କରି ବସର ପଛପଟେ ଥିବା କ୍ୟାବିନରୁ ଗଞ୍ଜେଇ ସବୁକୁ ଜବତ କରିଥିଲା ପୋଲିସ ।
ତେବେ ଗଞ୍ଜେଇ ସବୁକୁ ପଲିଥିନ ଗୁଡ଼ାଇ ଛୋଟଛୋଟ ପ୍ୟାକେଟ କରି ବସ୍ରେ ଚାଲାଣ କରାଯାଉଥିଲା । ଜବତ ପରେ ଯଶିପୁର ତହସିଲଦାର କ୍ରିସେନସିଆ ତୀର୍କୀ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଗୁଡ଼ିକର ଓଜନ କରା ଯାଇଥିଲା । ମୋଟ ୨୩ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅନୁମାନ କରିଛି ପୋଲିସ । ସରକାରୀ ବସର କଣ୍ଡକ୍ଟରଙ୍କ ସୂଚନା ଅନୁସାରେ ଉକ୍ତ ଗଞ୍ଜେଇ ଖମାର ବସଷ୍ଟାଣ୍ଡରୁ ୭ଜଣ ବସ ଯାତ୍ରୀ ଏହି ପ୍ୟାକେଟ୍ ସବୁ ଧରି ଉଠିଥିଲେ। ଏହାପରେ ଏହାକୁ ପଛ ଡିକିରେ ରଖି ଦେଇଥିଲେ ବସ୍ କଣ୍ଡକ୍ଟର । ସେପଟେ ଯଶିପୁର ଥାନା ପୋଲିସ ଉକ୍ତ ସରକାରୀ ବସକୁ ଅଟକ ରଖିବା ସହ ଦୁଇଜଣ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସେପଟେ ସେହି ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରିନି ।
ଇଟିଭି ଭାରତ, ରାଇରଙ୍ଗପୁର