ବାରିପଦା: କୋରୋନା ମହାମାରୀ ମୁକାବିଲା ପାଇଁ ସମଗ୍ର ବିଶ୍ବ ଲଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାବାସୀ ଏନେଇ ସଚେତନ ହେଉନଥିବା ଦେଖିବାକୁ ମିଳିଛି । କୋରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମ ଲାଗୁକରିଛନ୍ତି । ତେବେ ଲକଡାଉନ ୫.୦ରେ କିଛି ମାତ୍ରରେ କୋହଳ ହେବା ପରେ ଲୋକଙ୍କୁ କିଛିଟା ଆଶ୍ବସ୍ଥି ମିଳିଛି । ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ସମୟସୀମା ବୃଦ୍ଧି କରୁଥିବା ବେଳେ ଅଧିକାଂଶ ଲୋକ କିନ୍ତୁ ବେଫିକର ହୋଇ ମାସ୍କ ପିନ୍ଧୁ ନଥୁବା ଦେଖିବାକୁ ମିଳିଛି ।
ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ଲୋକେ କିନ୍ତୁ ଏହାକୁ ଖାତିର କରୁ ନଥିବା ଦେଖିବାକୁ ମିଳୁଛି । ତେବେ ମାସ୍କ ପିନ୍ଧୁ ନଥିବା ଲୋକଙ୍କଠୁ ପୋଲିସ ଫାଇନ ଅଦାୟକୁ ଜୋରଦାର କରିଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋମବାର ଜୁନ ୧ ତାରିଖରେ ପୋଲିସ ମାସ୍କ ପିନ୍ଧୁନଥିବା ଲୋକଙ୍କ ଠାରୁ 2ଲକ୍ଷ 2ହଜାର ୬୦୦ ଟଙ୍କା ଆଦାୟ କରିଛି । ପୋଲିସ କେବଳ ବାରିପଦା ସହରରେ ବିନା ମାସ୍କ ବ୍ୟବହାରକାରୀଙ୍କ ଠାରୁ ଅଦାୟ କରିଛି ୩୧ ହଜାର ଟଙ୍କା । ତେବେ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ସହ ସାମାଜିକ ଦୁରତ୍ବ ବଜାୟ ରଖିବାକୁ କହିଛନ୍ତି ମୟୁରଭଞ୍ଜ ଏସପି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ