ବାରିପଦା: ଗୋରୁ ଚାଲାଣକାରୀ ମାଫିଆଙ୍କ ନଜରରେ ଏବେ ବୁଲା ଷଣ୍ଢ । ଶନିବାର ଷଣ୍ଢ ବୋଝେଇ ଏକ ପିକଅପ ଭ୍ୟାନ ଜବତ କରିବା ସହ ପୋଲିସ ଗାଡି ଡ୍ରାଇଭର ଓ ଜଣେ ଗୋରୁ ବେପାରୀକୁ ଗିରଫ କରିଛି ।
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ପିକଅପ ଭ୍ୟାନରେ 5ଟି ଷଣ୍ଢକୁ ପଶ୍ଚିମବଙ୍ଗର ଖଡିକା ଅଞ୍ଚଳକୁ ଚାଲାଣ କରାଯାଉଥିଲା । ପୋଲିସ ଷଣ୍ଢ ବୋଝେଇ ପିକଅପ ଭ୍ୟାନ ଏବଂ ଗାଡିର ଡ୍ରାଇଭର ସହ ଗୋରୁ ବେପାରୀକୁ ଗିରଫ କରି ଥାନାକୁ ଆଣି ତଦନ୍ତ କରିଥିଲା । ଏହା ପରେ ଏକ ସାଙ୍ଘାତିକ ସତ୍ୟ ସାମନାକୁ ଆସିଥିଲା । ତେବେ ଗିରଫ ଗୋରୁ ବେପାରୀ ଜଣଙ୍କ ବୈଶିଙ୍ଗା ଥାନା କଦଳିଆ ଗାଁର ବୋଲି ଜଣାପଡିଥିବାବେଳେ ପୂର୍ବରୁ ମଧ୍ୟ ସେ ବୁଲା ଷଣ୍ଢଙ୍କୁ ଧରି ଚାଲାଣ କରୁଥିବା ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୫ଟି ବୁଲା ଷଣ୍ଡଙ୍କ ମଧ୍ୟରୁ 2ଟିକୁ ସେ ବ୍ରହ୍ମପୁରରୁ ଆଣିଥିବା ବେଳେ ଆଉ 3ଟିକୁ ବୈଶିଙ୍ଗା ଅଞ୍ଚଳରୁ ଆଣିଥିବା କହିଛି । ସେହିପରି ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡିରୁ ମଧ୍ୟ ଅନ୍ୟ ଏକ ଗୋରୁ ବୋଝେଇ ପିକଅପକୁ ଜବତ କରିଛି ପୋଲିସ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ