ରାଇରଙ୍ଗପୁର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ । ଯୋର ଜବରଦସ୍ତ ଟେକିନେଇ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ତେବେ ଏପରି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଯାମଦା ଥାନା ଅଧୀନସ୍ଥ ଅଞ୍ଚଳର ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷିୟା ଝିଅ ନିଜ ପରିବାର ଲୋକଙ୍କ ସହିତ ନିଜ ଘରେ ଥିଲେ। ଗତ ଶୁକ୍ରବାର ସକାଳୁ ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ମଧୂସୁଦନ ବାଗେ ନାମକ ଜଣେ ଯୁବକ ନାବାଳିକାକୁ ଜୋବରଦସ୍ତ ଟେକି ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲେ । ବହୁ ସମୟ ବିଳମ୍ବରେ ନାବାଳିକା ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରିଥିଲେ । ପରେ ପରିବାର ଲୋକେ ଯାମଦା ଥାନାକୁ ଯାଇ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଏକ ଏତଲା ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ......ଖାକିରେ ଦାଗ, ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ
ସେପଟେ ଅଭିଯୋଗ ପାଇବା ପରେ ଯାମଦା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ମଧୂସୁଦନକୁ ଗିରଫ କରିଛି । ତେବେ ଏହି ଅପକର୍ମରେ ମଧୂସୁଦନକୁ ଅନ୍ଯ ଜଣେ ଯୁବକ ସହଯୋଗ କରିଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ଫେରାର ଥିବା ଜଣାପଡ଼ିଛି । ପଚରାଉଚରା ପରେ ମଧୂସୁଦନ ନିଜ ଦୋଷ ପୋଲିସ ନିକଟରେ ସ୍ବୀକାର ମଧ୍ୟ କରିଛି । ଆଜି ନାବାଳିକାର ବୟାନ ରେକର୍ଡ କରାଯିବା ସହ ଅଭିଯୁକ୍ତ ମଧୂସୁଦନର ରାଇରଙ୍ଗପୁର ମେଡିକାଲରେ ଡାକ୍ତରୀ ମାଇନା କରା ଯାଇଛି । ଉକ୍ତ ଘଟଣାକୁ ନେଇ ଯାମଦା ଥାନାରେ କେସ୍ ନଂ ୮୭/୨୦୨୩ ରେ ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମଧୂସୁଦନ ବାଗେକୁ ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି ।
ତେବେ କିଛି ଦିନ ପୂର୍ବରୁ ଯାମଦା ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ଏଏସଆଇ ଆନନ୍ଦ ମାଝୀ ଯାମଦା ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ ଥିବା ବେଳେ ନିଜ ସନ୍ତାନମାନଙ୍କ ଦେଖାଶୁଣା କରିବା ପାଇଁ ଯାମଦା ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକାକୁ ଘରେ ସହାୟିକା ଭାବେ ରଖିଥିଲେ । ଏହାରି ଭିତରେ ନାବାଳିକାକୁ ଏଏସଆଇ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବାର ଅଭିଯୋଗ ହୋଇଥିଲା । ତେବେ ବାରମ୍ବାର ଯାମଦା ଥାନା ଅଞ୍ଚଳରେ ଏପରି ଲଜ୍ଜାଜନକ ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।
ଇଟିଭି ଭାରତ, ମୟୂରଭଞ୍ଜ