ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ ବୁଢାମରା ଗାଁର ଗୁରା ସିଂଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିବା ଘଟଣା । ଗତ ଜାନୁଆରୀ ୨୮ ତାରିଖ ଦିନ ଶୋଇବା ଘରୁ ମିଳିଥିଲା ମୃତଦେହ । ତେବେ ପୂର୍ବ ଶତ୍ରୁତାରୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗୁରାଙ୍କ ପୁତୁରା ହିଁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛି ।
ପୋଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ନେଇ ତଦନ୍ତ କରିଥିଲା । ମୃତ ଗୁରାଙ୍କ ପୁତୁରା ମନୋଜ ସିଂଙ୍କୁ ପୋଲିସ ସନ୍ଦେହରେ ଥାନାକୁ ଆଣି ପଚାରା ଉଚରା କରିବା ପରେ ସତ୍ୟତା ସମ୍ନାକୁ ଆସିଥିଲା । ତେବେ ପୂର୍ବ ଶତ୍ରୁତାରୁ ବଡବାପା ଗୁରାସିଂ ପୁତୁରା ମନୋଜକୁ ମାରିଦେବା ନେଇ ଧମକ ଦେଉଥିଲା । ଯାହାକୁ ନେଇ ପୁତୁରା ସୁଯୋଗ ଦେଖି ନିଜ ବଡବାପାକୁ ୨୮ ତାରିଖ ଦିନ ରାତିରେ କୁକୁଡ଼ା କଟା ଏକ ଧାରୁଆ ମାରଣାସ୍ତ୍ରରେ ଗଳା କାଟି ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛି ।
ବଡବାପାକୁ ହତ୍ୟା ପରେ ହତ୍ୟା କାଣ୍ଡରେ ବ୍ୟବହାର କରିଥିବା ଧାରୁଆ ଅସ୍ତ୍ରକୁ ନିକଟସ୍ଥ ପାଳ ଗଦାରେ ଲୁଚାଇ ପଳାଇ ଥିଲା । ତେବେ ଗିରଫ ଅଭିଯୁକ୍ତକୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ବାରିପଦା ଏସଡିପିଓ କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ