ରାଇରଙ୍ଗପୁର: ବୋହୂ ମାଡ଼ରେ ଶାଶୁ ମୃତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଜମ୍ଭୀରା ଫାଣ୍ଡି ଅନ୍ତର୍ଗତ ପୋଡାଡିହା ଗ୍ରାମରେ । ଏନେଇ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ ତଥା ଅଭିଯୁକ୍ତ ମହିଳାଙ୍କ ସ୍ବାମୀ ସୁମିତ୍ର କର । ମୃତକ ଜଣକ ପୋଡାଡିହା ଗ୍ରାମର ଶେଫାଳୀ କର ବୋଲି ଜଣାପଡିଛି ।
ଅଭିଯୋଗ ଅନୁଯାୟୀ, ତିନି ଦିନ ତଳେ ଘରେ କେହି ନଥିବା ବେଳେ ଶାଶୁ ଶେଫାଳୀ କର ଓ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଝଗଡାକୁ ନେଇ ଉଭୟ ଶାଶୁ ଓ ବୋହୂ ହାତାହାତି ହୋଇଥିଲେ । ତେବେ ବୋହୁ ସଙ୍ଗୀତା ଶାଶୁଙ୍କୁ ଧକ୍କା ଦେବା ସହ ମାଡ ମାରି ଥିବା ଅଭିଯୋଗରେ ଦର୍ଶାଯାଇଛି । ଏଥିରେ ଶାଶୁ ଶେଫାଳୀ କର ତଳେ ପଡ଼ି ଯାଇଥିଲେ । ଘରେ ପହଞ୍ଚି ପୁଅ ସୁମିତ୍ର ମାଆଙ୍କୁ ତଳେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ଉଦ୍ଧାର କରି ବାରିପଦା ପିଆରଏମରେ ଭର୍ତ୍ତି କରିଥିଲେ । ତେବେ ବାରିପଦା ପିଆରଏମରେ ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ହଠାତ ସଙ୍କଟାପନ୍ନ ହୋଇଥିଲା । ଫଳରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ କଟକ ବଡ଼ ମେଡିକାଲ ଯାଉଥିବା ବାଟରେ ଦିନ ପାଖାପାଖି ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଘଟଣା ସମ୍ପର୍କରେ ପୁଅ ସୁମିତ୍ର କର ଜାମ୍ଭୀରା ଫାଣ୍ଡିରେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ସୀମା ଟପିଲା ବର୍ବରତା, ମାଲିକାଣୀ ଘରକୁ ସୁରକ୍ଷା ଦେବାରୁ କୁକୁରକୁ ହାଣିଦେଲେ ଯୁବକ
ତେବେ ପୂର୍ବରୁ ମଧ୍ୟ ଅଧିକାଂଶ ସମୟରେ ବହୂ ସଙ୍ଗୀତା ଶାଶୁ ଓ ଶ୍ବଶୁରଙ୍କ ସହିତ ଝଗଡା କରିଥିବାର ଅଭିଯୋଗ କରିଛନ୍ତି ସଙ୍ଗୀତାଙ୍କ ସ୍ଵାମୀ ସୁମିତ୍ର କର । ଏନେଇ ଚାନ୍ଦୁଆ ଥାନା ଅନ୍ତର୍ଗତ ଜମ୍ଭୀରା ଫାଣ୍ଡିରେ ୬୦/୨୩ରେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ଚାନ୍ଦୁଆ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ ଚଳାଇଛି । ଘଟଣା ସମ୍ପର୍କରେ ବାରିପଦା ସଦର ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ, ସେ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି । ତେବେ ଏହି ରହସ୍ୟ ଉପରୁ ପୋଲିସ କେବେ ପରଦା ଉଠାଇବ, ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ମୟୂରଭଞ୍ଜ