ରାଇରଙ୍ଗପୁର: ରାଷ୍ଟ୍ରପତି ଭାଷଣ ଦେବା ସମୟରେ ସମ୍ମାନ ଭୁଲି ଗଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ମଞ୍ଚରେ ଗୋଡ ଉପରେ ଗୋଡ ପକାଇ ବସିଥିବା ନଜରକୁ ଆସିଲେ ମନ୍ତ୍ରୀ । ଦେଶର ସର୍ବୋଚ୍ଚ ନାଗରିକକଙ୍କ ପ୍ରତି ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହଁ ବୋଲି କହିଲା ବିଜେପି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଷ୍ଟ୍ରପତି ପୋଡିୟମରେ ଛିଡା ହୋଇ ଭାଷଣ ଦେଉଛନ୍ତି । ଏହି ସମୟରେ ମଞ୍ଚ ଉପରେ ରାଜ୍ୟପାଳ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବସିଛନ୍ତି । ପ୍ରଫୁଲ୍ଲ ମଲ୍ଲିକ ଗୋଡ ଉପରେ ଗୋଡ ପକାଇ ବସିଥିଲା ଦେଖିବାକୁ ମିଳିଛି । ଏ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ରପତି ସାମିଲ ହୋଇଥିବା ବେଳେ ଖଣିମନ୍ତ୍ରୀଙ୍କ ଏପରି ଆଚରଣ ସମସ୍ୟଙ୍କୁ ବ୍ୟଥିତ କରିଛି।
ଗତ 4 ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର କଚେରୀ ପଡିଆରେ ଏକ ନାଗରିକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲା ରାଇରଙ୍ଗପୁର ପୌରପାଳିକା। ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ଓଡ଼ିଶା ସରକାରଙ୍କ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ । ତେବେ ସେଠାରେ କିଛି ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିବା ପରେ ମହାମହିମ ରାଷ୍ଟ୍ରପତି ଉକ୍ତ ମଞ୍ଚରେ ନିଜ ଅଭିଭାଷଣ ଦେଉଥିବା ସମୟରେ ମଞ୍ଚାସୀନ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୋଡ଼ ଉପରେ ଗୋଡ଼ ରଖି ବସିଥିଲେ।
ତେବେ ମଞ୍ଚ ଉପରେ ଏପରି ବସିବା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ବୋଲି ସାଧାରଣରେ ଆଲୋଚନା ହେଉଛି । ଦେଶର ରାଷ୍ଟ୍ରପତିଙ୍କୁ ଏପରି ଅସମ୍ମାନକୁ ଗ୍ରହଣ କରି ପାରୁ ନାହାଁନ୍ତି ଜିଲ୍ଲାବାସୀ । ଗୋଟିଏ ମଞ୍ଚରେ ଥାଇ ଏପରି ବସିବା ଉଚିତ କି, ନା ମନ୍ତ୍ରୀ ଶାଳିନତା ଜାଣି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଜିଲ୍ଲା ମୁଖପାତ୍ର କବି ବିଷ୍ଣୁ ଶତପଥୀ।
ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତର ଦ୍ବିତୀୟ ଦିନରେ ଶିମିଳିପାଳ ଗସ୍ତ କରିଥିଲେ। ଏହା ପୂର୍ବରୁ ସ୍ବତନ୍ତ୍ର ବିମାନରେ ଆସି ଛେଳିଗୁଦୁରି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର ଗାଡ଼ିରେ ଶିମିଳିପାଳ ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟରେ ଆମ୍ବୁଲାନ୍ସ ଦାୟିତ୍ୱରେ ଥିଲେ ଜାମୁକେଶ୍ୱର ସିଏଚସିରେ କାର୍ଯ୍ୟରତ ଫାର୍ମାସିଷ୍ଟ ଯୋଶବନ୍ତ । ରାଷ୍ଟ୍ରପତି ଯିବା ପରେ ହେଲିକପ୍ଟର ପାଖରେ ଛିଡା ହୋଇ ଫଟୋ ଉଠାଇଥିଲେ ଯୋଶବନ୍ତ । ଯାହା ଭାଇରାଲ ହେବା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସିଡିଏମଓ ଫାର୍ମାସିଷ୍ଟ ଯୋଶବନ୍ତଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର