ମୟୁରଭଞ୍ଜ: ପୁଣି ଯୌତୁକ ଜୁଇରେ ବଳି ପଡିଲା ଜଣେ ବିବାହିତା ମହିଳା ପାରିବାରିକ କଳହ ସମେତ ଯୌତୁକ ଦାବିରେ ମହିଳାଙ୍କୁ ସ୍ବାମୀ ପୋଡି ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଲଖଣାସାହି ଗ୍ରାମରେ । ଗ୍ରାମର ଧନଞ୍ଜୟ ମହାନ୍ତି କରିଛି ଏଭଳି ଅମାନୁସିକ କାର୍ଯ୍ୟ ।
ସୂଚନାଯୋଗ୍ୟ, ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳହ ଲାଗିରହୁଥିଲା । ବିଭିନ୍ନ ସମୟରେ ସ୍ତ୍ରୀ ମନ୍ଦାକିନୀ ମହାନ୍ତିଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଶେଷରେ ସ୍ତ୍ରୀକୁ ପୋଡି ମାରିବାକୁ ବି ପଛେଇଲେନି ଅଭିଯୁ୍କ୍ତ । ଗତକାଲି(5 ଅଗଷ୍ଟ) ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ବଚସା ଆରମ୍ଭ ହୋଇଥିଲା । ଏହାପରେ ସ୍ବାମୀ ଧନଞ୍ଜୟ ମନ୍ଦାକିନୀ ଦେହରେ କିରୋସିନି ଢାଳି ନିଆଁ ଲଗାଇ ମାରି ଦେଇଥିବା ଅଭିଯୋଗ ହୋଇଛି । ତେବେ ସକାଳେ ଅଭିଯୁକ୍ତ ସ୍ବାମୀ ମନ୍ଦାକିନୀଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ଘରଲୋକ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଥିଲେ ।
ଏହାପରେ ଘରଲୋକ ଥାନାରେ ସ୍ବାମୀ ଓ ଶାଶୁଘରଲୋକଙ୍କୁ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭିଭାରତ